ନୂଆଦିଲ୍ଲୀ, ଡିସେମ୍ବର ୨୧ : ଦେଶରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂଖ୍ୟା ବଢ଼ିବାରେ ଲାଗିଛ। ବିଦେଶରେ ଏହି ସଂକ୍ରମଣ ଆହୁରି ଅଧିକ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଓମିକ୍ରନ୍ ସଂକ୍ରମଣ ବଢ଼ିଚାଲିଥିବା ବେଳେ ୩ ଦିନ ପରେ ବିଶ୍ବବାପୀ ବଡ଼ଦିନ ପାଳନ ହେବ। ସପ୍ତାହକ ପରେ ପୁଣି ନୂଆ ବର୍ଷ ଆସିବ। ତେଣୁ ଏହି ପର୍ବ ଆସିବା ପୂର୍ବରୁ ଓମିକ୍ରନ୍ ଚେତାବନୀ ଦେଉଛି। ଅନେକ ଦେଶରେ ଏହାରି ମଧ୍ୟରେ କଟକଣା ଲାଗୁ କରିଦିଆଯାଇଛି। ନେଦରଲାଣ୍ଡରେ ଜାନୁଆରୀ ୧୪ ଯାଏଁ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା ହୋଇଛି। ଆମେରିକା ଓ ବ୍ରିଟେନ ସରକାର ମଧ୍ୟ ବଡ଼ଦିନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଆଂଶିକ ଲକଡାଉନ୍ ଏବଂ କଟକଣା ଲଗାଇ ପାରନ୍ତି। ବ୍ରିଟେନ୍ରେ ଏବେ ବର୍ତ୍ତମାନ ନାଇଟ କ୍ଲବ ଓ ପାର୍ଟି ଯିବା ପୂର୍ବରୁ ଟିକାକରଣ ପ୍ରମାଣପତ୍ର ସାଥିରେ ନେବାକୁ ବାଧ୍ୟତାମୂଳକ କରିଦେଇଛି। ଇସ୍ରାଏଲ ସରକାର ଆମରେିକା, କାନାଡା ଓ ଜର୍ମାନୀ ସମେତ ୧୦ଟି ଦେଶକୁ ବିମାନସେବା ବାତିଲ କରିଦେଇଛି। ଫ୍ରାନ୍ସର କଥା ଯଦି କହିବା, ସରକାର ବଡ଼ଦିନ ଓ ନୂଆବର୍ଷରେ ବାଣ ଫୁଟାଇବା ସଂପୂର୍ଣ୍ଣ ବାରଣ କରିଦେଇଛନ୍ତି। ଏହା ଦ୍ବାରା ଲୋକେ ଏକତ୍ର ହୋଇପାରିବେ ନାହିଁ। ଏହା ବ୍ୟତୀତ ନେଦରଲାଣ୍ଡ ମଧ୍ୟ ପବ୍ ଏବଂ ବାରରେ ରାତ୍ରି ୮ଟା ପର୍ଯ୍ୟନ୍ତ ପ୍ରବେଶ ବନ୍ଦ କରିବାକୁ ଆଦେଶ ଜାରି କରିଛି। ଭାରତରେ ଏପର୍ଯ୍ୟନ୍ତ ୧୬୫ ଜଣ ଓମିକ୍ରନ୍ ଚିହ୍ନଟ ହୋଇସାରିଛନ୍ତି। ଦିଲ୍ଲୀରେ ବିଗତ ୬ ମାସ ମଧ୍ୟରେ ପ୍ରଥମ ଥର ପାଇଁ ୧୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ୫୪, ଦିଲ୍ଲୀରେ ୩୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, ଗୁଜରାଟରେ ୧୩, କେରଳରେ ୧୫, କର୍ଣ୍ଣାଟକରେ ୮, ଉତ୍ତରପ୍ରଦେଶରେ ୨, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଚଣ୍ଡୀଗଡ଼ରେ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବଢ଼ିଲେ ସରକାର ଭାରତରେ କଟକଣା ଲଗାଇ ପାରନ୍ତି। କରୋନାର ସମ୍ଭାବିତ ୩ୟ ଲହରକୁ ନେଇ ବିଶେଷଜ୍ଞମାନେ ଲଗାତାର ଚେତାବନୀ ଦେଉଛନ୍ତି। ଆଇଆଇଟି କାନପୁର ପକ୍ଷରୁ କୁହାଯାଇଛି ଯେ, ଜାନୁଆରୀ ଓ ଫେବୃଆରୀ ମାସରେ କରୋନାର ୩ୟ ଲହର ଆସିପାରେ। ନୀତି ଆୟୋଗ ମଧ୍ୟ କହିଛି ଯେ, କରୋନାର ୩ୟ ଲହର ଆସିଲେ ଦୈନିକ ୧୪ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି। ସେହିପରି ଆଷ୍ଟ୍ରୋଜେନିକା-କୋଭିଶିଲ୍ଡ ଟିକା ନିର୍ମାତା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଡେମ ସାରା ଗିଲ୍ବଟ ଚେତାବନୀ ଦେଇଛନ୍ତି ଯେ, ଆଗାମୀ ମହାମାରୀ ଅଧିକ ଘାତକ ହେବ। ଯେତେଦିନ ପର୍ଯ୍ୟନ୍ତ ଆମେ ଓମିକ୍ରନ୍ ସଂକ୍ରମଣ ସଂପର୍କରେ ଜାଣି ନାହୁଁ, ସେତେଦିନ ପର୍ଯ୍ୟନ୍ତ ସତର୍କ ରହିବା ଉଚିତ।