ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାଗରାଜ ଗସ୍ତ

ନୂଆଦିଲ୍ଲୀ, ଡିସେମ୍ବର ୨୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜ ଗସ୍ତ କରୁଛନ୍ତି। ଏହି ଅବସରରେ ସେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଗୃପ ଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟ୍‌ରେ ୧୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିବେ। ଏହା ଦ୍ବାରା ଏସ୍‌ଏଚ୍‌ଜି ଗୃପର ୧୬ ଲକ୍ଷ ମହିଳା ଉପକୃତ ହେବେ।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦୀନଦୟାଲ ଉପାଧ୍ୟାୟ ଯୋଜନା-ନ୍ୟାସନାଲ ରୁରାଲ ଲାଇଭ୍‌ଲିହୁଡ ମିଶନ (ଡିଏୱାଇ-ଏନ୍‌ଆରଏଲ୍‌ଏମ୍‌) ଦ୍ବାରା ୮୦ ହଜାର ଏସ୍‌ଏଚ୍‌ଜିଙ୍କୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (ସିଆଇଏଫ୍‌) ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ୬୦ ହଜାର ଗୃପଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ମିଳିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ପ୍ରୟାଗରାଜରେ ଆଜି ଅପରାହ୍ନ ୧ଟାରେ ହେବାକୁ ଥିବା ଆୟୋଜନରେ ପାଖାପାଖି ୨ ଲକ୍ଷ ମହିଳା ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣକୁ ଆହୁରି ମଜବୁତ କରିବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କଲ୍ୟାଣ ସୁମଙ୍ଗଳ ଯୋଜନାରେ ୧ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ କୋଟି ଟଙ୍କା ଟ୍ରାନ୍ସଫର କରିବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ମିଳିବ।  

Leave A Reply

Your email address will not be published.