ମୁମ୍ବାଇରେ ନୂଆ ବର୍ଷ ପାର୍ଟି ଉପରେ ଲାଗିଲା କଟକଣା

ମୁମ୍ବାଇ, ଡିସେମ୍ବର ୨୫ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆସନ୍ତା ନୂଆବର୍ଷ ଉପରେ କଟକଣା ଲାଗିଛି। ଏହି ଆଦେଶ ଡିସେମ୍ବର ୨୫ ରାତି ୧୨ ଠାରୁ ଲାଗୁ ହୋଇଯାଇଛି। କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ବୃହନ୍‌ମୁମ୍ବାଇ ମହାନଗର ନଗମ ଆଦେଶ ଜାରି କରିଛି। ଆଦେଶରେ କୁହାଯାଇଛି ଯେ, ନୂଆବର୍ଷ ଅବସରରେ ମୁମ୍ବାଇରେ ଲୋକେ ପାର୍ଟିର ଆୟୋଜନ କରିପାରିବେ ନାହିଁ। ଏଥି ସହିତ ସର୍ବସାଧାରଣ ସ୍ଥାନରେ ଭିଡ ନ ଲଗାଇବାକୁ ଆଦେଶ ହୋଇଛି।  ବିଏମ୍‌ସି କମିଶନର ଇକବାଲ ସିଂହ ଚହଲଙ୍କ ଆଦେଶ ଅନୁସାରେ ଯଦି କେହି କେରାନାକୁ ନେଇ ଆଦେଶ ଉଲ୍ଲଂଘନ କରନ୍ତି, ତାହେଲେ ଏସଂକ୍ରାନ୍ତରେ ଆଇପିସିର ଧାରା ଓ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ନୂଆ ଆଦେଶ ରାଜ୍ୟ ସରକାରଙ୍କ ଅତିରିକ୍ତ ଆଦେଶ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ତରଫରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ସର୍ବସାଧାରଣ ସ୍ଥାନରେ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ୫ରୁ ଅଧିକ ଲୋକ ଏକତ୍ର ନ ହେବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଜିମ, ସ୍ପା, ହୋଟେଲ, ଥିଏଟର ଏବଂ ସିନେମା ହଲ ପାଇଁ ୫୦ ପ୍ରତିଶତ କ୍ଷମତାରେ ପରିଚାଳନା କରିବାକୁ କୁହାଯାଇଛି, ଯାହାକି ଲାଗୁ ହୋଇଯାଇଛି। ସେହିପରି  ସାମାଜିକ, ରାଜନୈତିକ, ଧାର୍ମିକ ଆୟୋଜନରେ ୧୦୦ ଜଣ ସଦସ୍ୟଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିପାରିବ। ଖୋଲା ସ୍ଥାନରେ ଏହି ସଂଖ୍ୟା ୨୫୦ ପର୍ଯ୍ୟନ୍ତ ରହିପାରିବ। ଅର୍ଥାତ ଖୋଲା ସ୍ଥାନରେ ୨୫ ପ୍ରତିଶତ ସ୍ଥାନରେ ଲୋକେ ଉପସ୍ଥିତ ରହିପାରିବେ। କ୍ରୀଡ଼ା ସମାରୋହରେ ମଧ୍ୟ କେବଳ ୨୫ ପ୍ରତିଶତ ଲୋକ ସାମିଲ ହୋଇପାରିବେ। 

Leave A Reply

Your email address will not be published.