ପୀୟୂଷ ଜୈନଙ୍କ ଘର ଉପରେ ଚଢ଼ଉକୁ କାହିଁକି କୁହାଯାଉଛି ଆୟକର ବିଭାଗର ସବୁଠୁ ବଡ଼ ‘କ୍ୟାଶ୍‌ ରେଡ’

ନୂଆଦିଲ୍ଲୀ, ଡିସେମ୍ବର ୨୯ : ଉତ୍ତର ପ୍ରଦେଶର କନୌଜ୍‌ ଠାରୁ କାନପୁର ପର୍ଯ୍ୟନ୍ତ ଶହ ଶହ କୋଟି ଟଙ୍କା ରୋଜଗାର କରିଥିବା ବ୍ୟବସାୟୀ ପୀୟୂଷ ଜୈନଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ସମୟରେ ପ୍ରଚୁର ଧନ-ସଂପତ୍ତି ଠାଭ ହୋଇଛି। ଏହାକୁ ଦେଖି ଡିଜିଜିଆଇ ଅର୍ଥାତ ଡାଇରେକ୍ଟର ଅଫ୍‌ ଜିଏସ୍‌ଟି ଇଣ୍ଟଲିଜିଏନ୍ସ ଏବଂ ଆୟକର ବିଭାଗର ଅଧିକାରୀ ସ୍ତବ୍ଧ ହୋଇଯାଇଛନ୍ତି। କୁହାଯାଉଛି ଯେ, ଏହା ପୂର୍ବରୁ ଏତେ ପରିମାଣରେ ଟଙ୍କା ଏକକାଳୀନ ଜଣେ ବ୍ୟକ୍ତିଙ୍କ ପାଖରେ ମିଳିପାରି ନଥିଲା। ଏହି କାରଣରୁ ଡିଜିଜିଆଇ ଏହି ମାମଲାରେ ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି।  ଡିଜିଜିଆଇ ବ୍ୟବସାୟୀ ପୀୟୂଷଙ୍କ ଠାରୁ ୨୦୦ କୋଟି ଟଙ୍କା ନଗଦ ଓ ୨୩ କିଲୋ ସୁନା ଜବତ କରିଛି। ଚଢ଼ଉ ସମୟରେ ୫୦୦ ଚାବି, ୧୦୯ ତାଲା ଓ ୧୮ଟି ଲକର ମଧ୍ୟ ମିଳିଛି। ପୀୟୂଷ ଜୈନଙ୍କର ମୋଟ ସଂପତ୍ତି ୧୦୦୦ କୋଟି ହେବ। ଡିଜିଜିଆଇର ଟିମ୍‌ ଆୟକର ବିଭାଗକୁ ଏହି କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଥିଲେ।  ପାଖାପାଖି ଅଢ଼େଇ ମାସ ପୂର୍ବରୁ ଅହମଦାବାଦରେ ଡିଜିଜିଆଇର ଏକ ଟିମ୍‌ ଚେକିଂ ସମୟରେ ୪ଟି ଟ୍ରକ୍‌ ଧରିଥିଲେ। ଏହିଠାରୁ ତଦନ୍ତ କାନପୁର ପହଞ୍ଚିଥିଲା। ଗଭୀର ଭାବେ ତଦନ୍ତ ପରେ ମାମଲାର ଖୁଲାସା ହୋଇଥିଲା ଯେ, ଜିଏସଟିରୁ ବର୍ତ୍ତବା ପାଇଁ ଠକେଇ ପ୍ରମାଣପତ୍ର ପ୍ରସ୍ତୁତ ହୋଇଥିଲା। ଫଳରେ ସରକାରଙ୍କ କୋଟି କୋଟି ଟଙ୍କା କ୍ଷତି ହେଉଥିଲା। ଅହମଦାବାଦରେ ଜବତ ହୋଇଥିବା ଟ୍ରକ୍‌ରେ ପାନ ମସଲା ବୋଝେଇ ହୋଇଥିଲା। ଏହା କାନପୁରରୁ ପଠାଯାଇଥିଲା। ଡିସେମ୍ବର ୨୨ ଓ ୨୩ ତାରିଖ ପୀୟୂଷ ଜୈନଙ୍କ କାନପୁରସ୍ଥିତ ଆନନ୍ଦପୁରୀ ଅଂଚଳରେ ଥିବା ତ୍ରିମୂର୍ତ୍ତି ଫ୍ରେଗରେନ୍ସ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ଉ ହୋଇଥିଲା।  

Leave A Reply

Your email address will not be published.