ଫିରୋଜାବାଦ୍‌ରେ ଆଜି ରାଲି କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ର

ଲକ୍ଷ୍ନୌ, ଡିସେମ୍ବର ୨୯ : ଆସନ୍ତା ବର୍ଷ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି। ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଂଜାବ, ଗୋଆ ଓ ମଣିପୁର ସାମିଲ ରହିଛି। ଉତ୍ତରପ୍ରଦେଶରେ ୪୦୩ ବିଧାନସଭା ନିର୍ବାଚନ ମଣ୍ଡଳିରେ ନିର୍ବାଚନ ହେବ। ରାଜନୈତିକ ଦୃଷ୍ଟିକୋଣରୁ ଏହି ରାଜ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ରାଜ୍ୟକୁ ନିଜ ନିୟନ୍ତ୍ରଣରେ ଆଣିବା ପାଇଁ ରାଜନୈତିକ ଦଳର ନେତାମାନେ ଦିନ ରାତି ଅଙ୍କ କଷୁଛନ୍ତି। ଏପର୍ଯ୍ୟନ୍ତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ନେତାମାନେ ମତଦାତାଙ୍କ ମନକୁ ଆକର୍ଷିତ କରିବାରେ ଲାଗିଛନ୍ତି। ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶକୁ ଗସ୍ତ କରିଥିବା ବେଳେ ଫିରୋଜାବାଦରେ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଏକ ରାଲିକୁ ସମ୍ବୋଧିତ କରିବେ।  ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶକୁ ୩ ଦିନିଆ ଗସ୍ତ କରିଛନ୍ତି, ଯାହାକି ଆଜି ହେଉଛି ୨ୟ ଦିନ। ଗସ୍ତର ପ୍ରଥମ ଦିନରେ ମଙ୍ଗଳବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ସତୀଶ ଚନ୍ଦ୍ରା ରାଜନୈତିକ ଦଳ ଗୁଡ଼ିକ ସହିତ ବୈଠକ କରିଛନ୍ତି। ବୈଠକରେ ସେ ନେତାଙ୍କୁ ଠିକ୍‌ ସମୟରେ ନିର୍ବାଚନ ଓ କରୋନା ପ୍ରଟୋକଲକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି। କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ର ବୁଧବାର ଉତ୍ତର ପ୍ରଦେଶର ଫିରୋଜାବାଦରେ ଏକ ରାଲିକୁ ସମ୍ବୋଧିତ କରିବେ। ଏହି ଅଞ୍ଚଳରେ ସମାଜବାଦୀ ପାର୍ଟିର ସ୍ଥିତି ମଜବୁତ୍‌। ବାରାଣସୀ ଓ ଗୋରଖପୁରରେ ନିଜର ରାଲିକୁ ସଫଳ କରିବା ପରେ କଂଗ୍ରେସ ନେତ୍ରୀ ସମାଜବାଦୀ ପାର୍ଟିର ଗଡ଼ କୁହାଯାଉଥିବା ଫିରୋଜାବାଦ୍‌ରେ ରାଲି କରିବାକୁ ପ୍ରସ୍ତୁତ ହେଉଛି। 

Leave A Reply

Your email address will not be published.