ସେଞ୍ଚୁରିଅନ୍‌ରେ ପରାଜୟ ପରେ ଫର୍ମକୁ ଫେରିଲା ଦକ୍ଷିଣ ଆଫ୍ରିକା

ଜୋହନ୍ସବର୍ଗ, ଜାନୁଆରୀ ୦୪ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହନ୍ସବର୍ଗରେ ୨ୟ ଟେଷ୍ଟ ମ୍ୟାଚ୍‌ ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ନିୟମିତ ଅଧିନାୟକ ଆହତ ଯୋଗୁଁ ବିଶ୍ରାମ ନେଇଛନ୍ତି। ତାଙ୍କ ସ୍ଥାନରେ ଏହି ଦାୟିତ୍ବ କେ ଏଲ୍‌ ରାହୁଲଙ୍କୁ ମିଳିଛି। ତେବେ ସେଞ୍ଚୁରିଅନ୍‌ରେ ପରାସ୍ତ ହୋଇଥିବା ଘରୋଇ ଦଳ ଜୋହନ୍ସବର୍ଗରେ ଫର୍ମକୁ ଫେରିଛି। ଭାରତକୁ ପ୍ରଥମ ଦିନରେ ୨୦୨ ରନ୍‌ରେ ଅଲ୍‌ଆଉଟ୍ କରିଛି। କେଏଲ୍‌ ରାହୁଲଙ୍କ ନେତୃତ୍ବରେ ଖେଳୁଥିବା ଟିମ୍‌ ଇଣ୍ଡିଆ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ପାଇଁ ରାହୁଲ ସର୍ବାଧିକ ୫୦ ରନ୍‌ ଓ ରବିଚନ୍ଦ୍ରନ ଅଶ୍ବିନ ୪୬ ରନ୍‌ ଯୋଡ଼ିଥିଲେ। ମୟଙ୍କ ଅଗ୍ରୱାଲ ୨୬, ହନୁମା ବିହାରୀ ୨୦, ଋଷଭ ପନ୍ତ ୧୭ ଓ ଜସପ୍ରୀତ ବୁମରା ୧୪ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।  ସେଞ୍ଚୁରିଅନ୍‌ରେ ଘରୋଇ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ ଜୋହନ୍ସବର୍ଗରେ ଦଳ ଫର୍ମକୁ ଫେରିଛି। ପ୍ରଥମ ପାଳିରେ ମାର୍କୋ ଜନସେନ ୪ଟି ୱିକେଟ ନେଇଥିଲା ବେଳେ କାଗିସୋ ରାବାଡ଼ା ଓ ଓଲିଭିଅର ୩-୩ ୱିକେଟ ନେଇଥିଲେ। ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଦକ୍ଷିଣ ଆଫ୍ରିକା ଗୋଟିଏ ୱିକେଟ ହରାଇ ୩୫ ରନ୍‌ ସଂଗ୍ରହ କରିଛି। 

Leave A Reply

Your email address will not be published.