ଅଯୋଧ୍ୟାରୁ ନିର୍ବାଚନ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ

ନୂଆଦିଲ୍ଲୀ/ଲକ୍ଷ୍ନୌ, ଜାନୁଆରୀ ୧୩ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୈତିକ ଦଳ ଗୁଡ଼ିକ ଏବେ ଅଧିକ ସକ୍ରିୟ ହୋଇଯାଇଛନ୍ତି। ଏହାରି ମଧ୍ୟରେ ଜାତୀୟ ରାଜନୀତିରେ ଚର୍ଚ୍ଚା ହେଉଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଉଁ ଆସନରୁ ଆଗାମୀ ନିର୍ବାଚନରେ ଲଢ଼ିବେ। ଗତକାଲି ଦିଲ୍ଲୀରେ ଅନୁଷ୍ଠିତ ବିଜେପିର କୋର କମିଟି ବୈଠକରେ ୧୭୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ୧୪ ଘଣ୍ଟିଆ ବୈଠକରେ ପ୍ରଥମ ୩ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ପ୍ରସ୍ତାବକୁ ଆଜି କେନ୍ଦ୍ରୀୟ ନିର୍ବାଚନ କମିଟିରେ ଚର୍ଚ୍ଚା ହେବ। ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବେ କି ନାହିଁ ସେ ନେଇ ଆଜି ସିଇସି ବୈଠକରେ ନିଷ୍ପତ୍ତି ହେବ। ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ବୁଧବାର ବିଳମ୍ବିତ ରାତି ଯାଏଁ ଚାଲିଥିବା ବିଜେପିର କୋର କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଯୋଧ୍ୟାରୁ ନିର୍ବାଚନରେ ଅବତୀର୍ଣ୍ଣ କରାଇବା ପାଇଁ ସହମତି ହୋଇଛି। ସୂତ୍ର ଅନୁସାରେ ଯୋଗୀ ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଅଯୋଧ୍ୟାରୁ ଲଢ଼ିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି। କିନ୍ତୁ ଯେହେତୁ ଯୋଗୀଙ୍କ ନିର୍ବାଚନ ଲଢ଼ିବା ନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇ ନାହିଁ, ଏହି ଅପୂର୍ବ ମୂହୁର୍ତ୍ତକୁ ଅପେକ୍ଷା କରିବାକୁ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଯୋଧ୍ୟାରେ ନିର୍ବାଚନ ଲଢ଼ିବା ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଲାଭଦାୟକ ହେବ। କାରଣ ଅଯୋଧ୍ୟା ସ୍ଥାନୀୟ ସମୀକରଣ, ଧାର୍ମିକ ପକ୍ଷ ଏବଂ ରାଜନୈତିକ ଦୃ‌ଷ୍ଟିକୋଣରୁ ଲାଭ ହେବ। ଏଥି ସହିତ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବା ଫଳରେ ଅୱଧ କ୍ଷେତ୍ରର ତମାମ ବିଧାନସଭା ଆସନ ଉପରେ ପ୍ରଭାବ ପଡ଼ିବ। ଅୱଧ କ୍ଷେତ୍ରରେ ବଳରାମପୁର, ବହରାଇଚ, ବାରବାଙ୍କୀ, ସନ୍ଥକମୀର ନଗର, କୁଶୀନଗର, ଅଯୋଧ୍ୟା ଆଦି ସାମିଲ ରହିଛି।  ସୂଚନାଯୋଗ୍ୟ, ବିଜେପି ପାଇଁ ଅଯୋଧ୍ୟା ବିଧାନସଭା ବହୁତ ଗୁରୁତ୍ବପୂର୍ଣ୍ଣ। ୧୯୯୧ ମସିହା ପୂର୍ବରୁ ଏହି ଆସନକୁ କେବେ ଜନତା ଦଳ ଦଖଲ କରିଥିବା ବେଳେ କେବେ କେବେ କଂଗ୍ରେସକୁ ମଧ୍ୟ ମିଳିଛି। କିନ୍ତୁ ରାମ ମନ୍ଦିର ଲହର ଏହି ଆସନକୁ ବିଜେପି ନାଁରେ କରିଦେଇଛି। ୨୦୧୨ ନିର୍ବାଚନ‌େ ସମାଜବାଦୀ ପାର୍ଟି ଏହି ଆସନରେ ବିଜୟୀ ହୋଇଥିଲା। ମାତ୍ର ୨୦୧୭ରେ ବିଜେପିର ପ୍ରକାଶ ଗୁପ୍ତା ନିର୍ବାଚନ ଜିତିଥିଲେ। ସେହିଦିନ ବିଜେପିର ପ୍ରଭାବ ଏହି ଠାରେ ଦେଖିବାକୁ ମିଳିଛି। 

Leave A Reply

Your email address will not be published.