ଦେଶରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ଜାନୁଆରୀ ୧୩ : ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟ ବଢ଼ି ଚାଲିଥିବା ବ‌େଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ କଥା ହେବେ। କୋଭିଡ-୧୯ ମୁକାବିଲା ପାଇଁ କେଉଁ ରାଜ୍ୟରେ କେମିତି ପ୍ରସ୍ତୁତି ଚାଲିଛି, ସେ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ଠାରୁ ପ୍ରଧାନମନ୍ତ୍ରୀ ଆଜି ଅପରାହ୍‌ଣ ୪ଟା ୩୦ରେ ଅବଗତ ହେବେ। ଏହା ପୂର୍ବରୁ ମୋଦୀ ଗତ ରବିବାର ମହାମାରୀର ଅବସ୍ଥା ନେଇ ସମୀକ୍ଷା କରିଥିଲେ। ଏଥିରେ ସେ ଜିଲ୍ଲା ସ୍ତରରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ସହିତ ଟୀକାକରଣକୁ ଅଧିକ ଗୁରୁତ୍ବ ଦେଇଥିଲେ। ସୂଚନାଯୋଗ୍ୟ, ଦେଶରେ ଗୁରୁବାର ରାତି ୧୨ଟା ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୪୫ ହଜାର ୫୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୩୭୯ ଜଣଙ୍କର ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ୮୪ ହଜାର ୪୭୯ ଜଣ ସୁସ୍ଥ ହୋଇଥିଲେ। ଏଥି ସହିତ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯ ହଜାର ୮୦୫ରେ ପହଞ୍ଚିଛି। ଦେଶରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମିଶାଇ ଏପର୍ଯ୍ୟନ୍ତ ୩ କୋଟି ୬୩ ଲକ୍ଷ ୧୫ ହଜାର ୯୪୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩ କୋଟି ୪୭ ଲକ୍ଷ ୬ ହଜାର ୫୩୫ ଜଣ କରୋନାକୁ ପରାସ୍ତ କରିଥିବା ବ‌େଳେ ୪ ଲକ୍ଷ ୮୫ ହଜାର ୩୬ ଜଣଙ୍କର ମୃତ୍ୟୁ ହୋଇଛି। 

Leave A Reply

Your email address will not be published.