ପଂଚାୟତ ନିର୍ବାଚନ ପାଇଁ ଆଜି ଆସିବ ବିଜ୍ଞପ୍ତି : ୫ଟି ପର୍ଯ୍ୟାୟରେ ହେବ ମତଦାନ

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ୧୭ ତାରିଖୁ ୨୧ ଯାଏଁ ଚାଲିବ । ମନୋନୟନ ପତ୍ର ଯାଂଚ ୨୨ ତାରିଖରେ ହେବ । ଜାନୁଆରୀ ୨୫ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ । ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ଆସନ୍ତା ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ ତାରିଖରେ ନିର୍ବାଚନ ହେବ । ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେଲା ପରେ ଗ୍ରାମାଞ୍ଚଳରେ ରାଜନୀତି ଚଳଚଞ୍ଚଳ। କିନ୍ତୁ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ଉପରମୁହାଁ ଥିବାରୁ କଡ଼ା କଟକଣା ଭିତରେ ପ୍ରଚାର କରିବାକୁ ନିର୍ବାଚନ କମିସନ ଗତକାଲି ନିର୍ଦ୍ଦେଶ ଦେଇଥିଲେ । ତାହାକୁ ଭିତ୍ତି କରି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ବୁଧବାର ଦିନ ନିର୍ବାଚନ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଚଳିତ ମାସରେ ସର୍ବାଧିକ ୧୦୦ ଲୋକଙ୍କୁ ନେଇ ରାଜନୈତିକ ସଭା, ଶୋଭାଯାତ୍ରା ପାଇଁ ପୂର୍ବରୁ ଅନୁମତି ଥିଲା ବେଳେ ବୁଧବାର ତାହାକୁ ଉଠାଇ ଦିଆଯାଇଛି। ‌ନିର୍ବାଚନୀ ସଭା, ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ପ୍ରାର୍ଥୀମାନେ ସର୍ବାଧିକ ୫ ଜଣ ସମର୍ଥକଙ୍କୁ ନେଇ ଘରକୁ ଘରକୁ ବୁଲି ପ୍ରଚାର କରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ ମାସ୍କ ପିନ୍ଧି ପ୍ରଚାର କରିବା ବାଧ୍ୟତାମୂଳକ। ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପ୍ରାର୍ଥୀମାନେ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର କରିବାକୁ ପ୍ରାଥମିକତା ଦିଅନ୍ତୁ । ଅଧିକ ଲୋକ ଏକାଠି ହୋଇ ପ୍ରଚାର କରିପାରିବେ ନାହିଁ । କୋଭିଡ୍‌ ସଂକ୍ରମିତ ହୋଇଥିବା ପ୍ରାର୍ଥୀମାନେ କେବଳ ଇଲୋକ୍ଟ୍ରୋନିକ୍ସ ମିଡିଆରେ ପ୍ରଚାର କରିବେ ସେମାନେ ବାହାରକୁ ପ୍ରଚାର ପାଇଁ ଯାଇପାରିବେ ନାହିଁ । ରାଜନୈତିକ ଦଳଗୁଡ଼ିକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ପ୍ରଚାର କରିବାକୁ ପଦକ୍ଷେପ ନିଅନ୍ତୁ । କୌଣସି ପ୍ରକାର ‌ରୋଡ୍ ସୋ’, ପଦଯାତ୍ରା, ସାଇକେଲ୍/ମୋଟର୍‌ ସାଇକେଲ୍‌ ଶୋଭାଯାତ୍ରା ହୋଇପାରିବ ନାହିଁ । ଭୋଟ୍‌ ଗଣତି ପରେ ବିଜୟୀ ପ୍ରାର୍ଥୀମାନେ ବିଜୟ ଶୋଭଯାତ୍ରା ମଧ୍ୟ ହୋଇପାରିବ ନାହିଁ । ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ୱାର୍ଡରେ ଯେଉଁ କ୍ୟାମ୍ପ୍‌ ଅଫିସ୍‌ କରିବେ, ସେଠାରେ ମାସ୍କ, ସାନିଟାଇଜର୍‌ ଆଦି ମହଜୁଦ୍ ରଖିବେ। ଭୋଟ୍‌ ଗଣତି କେନ୍ଦ୍ର ବାହାରେ କୌଣସି ପ୍ରକାର ଜନସମାଗମ ହୋଇପାରିବ ନାହିଁ ।ଅପର ପକ୍ଷରେ ରାଜ୍ୟର କୌଣସି ସ୍ଥାନରେ ମେଳା, ଧାର୍ମିକ ଉତ୍ସବ, ସର୍ବସାଧାରଣ ସ୍ଥାନରେ ଧାର୍ମିକ କାର୍ଯ୍ୟକ୍ରମ ଆଦି ଆୟୋଜନ ଉପରେ କଟକଣା ଜାରି କରାଯାଇଛି । ଏସ୍‌ଆର୍‌ସି ପ୍ରଦୀପ ଜେନା ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପାଖକୁ ଚିଠି ‌ଲେଖିଛନ୍ତି । ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଧର୍ମପୀଠଗୁଡ଼ିକରେ କେବଳ ସୀମିତ ସଂଖ୍ୟକ ପୂଜକଙ୍କୁ ନେଇ ରୀତିନୀତି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ କୋଭିଡ୍‌ ପରିସ୍ଥିତିକୁ ଦେଖି ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍‌ମାନେ ଧାର୍ମିକ ସ୍ଥଳୀଗୁଡ଼ିକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଇପାରିବେ ।

Leave A Reply

Your email address will not be published.