ବିକାନେର ଏକ୍ସପ୍ରେସ୍‌ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି

ଜଳପାଇଗୁଡ଼ି/ନୂଆଦିଲ୍ଲୀ, ଜାନୁଆରୀ ୧୪ : ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାରେ ଦୋମୋହୋନୀ ନିକଟରେ ଗୁରୁବାର ବିକାନେର-ଗୁଆହାଟୀ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୫୬୩୩)ର ୧୨ଟି ବଗି୍‌ ରେଳଧାରଣାରୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ଏବେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଥିବା ବେଳେ ଆହତ ୩୬ ଜଣ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିଜେ ଏହି ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଗୁରୁବାର ଘଟଣାସ୍ଥଳକୁ ବାହାରିଛନ୍ତି।  ସୂଚନାଯୋଗ୍ୟ ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟାରେ ନୂଆ ଜଳପାଇଗୁଡ଼ି ଷ୍ଟେସନ ଠାରୁ ପାଖାପାଖି ୪୨ କିଲୋମିଟର ଏବଂ ଆଲିପୁରଦ୍ବାର ଷ୍ଟେସନ ଠାରୁ ପାଖାପାଖି ୧୦୦ କିଲୋମିଟର ଦୂରରେ ବିକାନେର ଏକ୍ସପ୍ରେସ୍‌ ଦୁର୍ଘଟଣାର ସାମ୍ନା କରିଥିଲା। ସୂଚନା ମିଳିବା ପରେ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଆହତମାନଙ୍କୁ ମୌନାଗୁଡ଼ି ଓ ଜଳପାଇଗୁଡି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାର ପାଇଁ ଆଖପାଖର ୫୧ଟି ଆମ୍ବୁଲାନ୍ସକୁ ପଠାଯାଇଥିଲା।  ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ସାମାନ୍ୟ ଆହତ ଯାତ୍ରୀଙ୍କ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଘୋଷଣା ହୋଇଛି। ଏଥି ସହିତ ଶ୍ରୀ ବୈଷ୍ଣବ ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଅବଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କଥା ହୋଇଛନ୍ତି। ମୋଦୀ ଦୁର୍ଘଟଣା ସଂପର୍କରେ ମମତାଙ୍କ ଠାରୁ ଅବଗତ ହୋଇଛନ୍ତି। ସୂଚନାଯୋଗ୍ୟ, ଦୁର୍ଘଟଣା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଭିଡ-୧୯ ବୈଠକର ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ। ରେଳବାଇ ଘଟଣାର ତଦନ୍ତ ଆଦେଶ ଦେଇଛି। 

Leave A Reply

Your email address will not be published.