ସଚିନ ତେନ୍ଦୁଲକରଙ୍କ ରେକର୍ଡ ଅତିକ୍ରମ କଲେ ବିରାଟ କୋହଲି

ପର୍ଲ, ଜାନୁଆରୀ ୨୦ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପୁଣି ଥରେ ଏକ ରେକର୍ଡ କରିଛନ୍ତି। ସେ ବିଶ୍ବର ଜଣାଶୁଣା ଖେଳାଳି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି। ସେହିପରି ବିରାଟଙ୍କ ଏହି ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଣ୍ଟିଂଙ୍କୁ ମଧ୍ୟ ଟପିଛି। ବିରାଟ କୋହଲି ଯେତେବେଳେ ୯ମ ରନ୍‌ ସଂଗ୍ରହ କଲେ, ସେ ବିଦେଶ ମାଟିରେ ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହ କରିପାରିଥିବା ଭାରତୀୟ କ୍ରିକେଟର ହୋଇଯାଇଥିଲେ।  ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାଁରେ ଥିଲା। କିନ୍ତୁ ବିରାଟ କୋହଲି ଏହି ରେକର୍ଡ ଅତିକ୍ରମ କରିଛନ୍ତି। ବିଦେଶୀ ମାଯିରେ ସଚିନ ତେନ୍ଦୁଲକର ୧୪୭ଟି ମ୍ୟାଚ୍‌ରେ ୫୦୬୫ ରନ୍‌ କରିଥିଲେ। ବିରାଟ କୋହଲି ୧୦୮ଟି ମ୍ୟାଚ୍‌ରେ ୫୦୬୬ ରନ୍‌ କରିଛନ୍ତି। ଖରାପ ଫର୍ମରେ ଥାଇ ବିରାଟ କୋହଲିଙ୍କୁ ଏହି ରେକର୍ଡ ମନୋବଳ ଯୋଗାଇବ। ସବୁଠାରୁ ବଡ଼କଥା ହେଲା ଯେ, ସଚିନ ଏହି ରେକର୍ଡ କରିବା ପାଇଁ ବିରାଟ କୋହଲିଙ୍କ ତୁଳନାରେ ଅଧିକ ମ୍ୟାଚ୍‌ ଖେଳିଥିଲେ। ଉଭୟଙ୍କ ମଧ୍ୟରେ ୩୧ଟି ମ୍ୟାଚ୍‌ର ବ୍ୟବଧାନ ରହିଛି। ବିରାଟ କୋହଲି କେବଳ ସଚିନଙ୍କୁ ନୁହେଁ, ବରଂ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ରିକି ପଣ୍ଟିଂଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ବିଦେଶ ମାଟିରେ ରିକି ପଣ୍ଟିଂ ୫୦୯୦ ରନ୍‌ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି ୫୧୦୮ ରନ୍‌ କରିଛନ୍ତି। ଏହି ତାଲିକାରେ କୁମାର ସାଙ୍ଗାକାର ସର୍ବାଧିକ ରନ୍‌ (୫୫୧୮) କରିଛନ୍ତି। ସୂଚନାଯୋଗ୍ୟ ପ୍ରଥମ ଦିନିକିଆରେ ଭାରତକୁ ଦକ୍ଷିଣ ଆଫ୍ରିକା ୩୧ ରନ୍‌ରେ ପରାସ୍ତ କରିଛି। 

Leave A Reply

Your email address will not be published.