ୟୁଏଇରେ ଘଟିଥିବା ଏହି ଘଟଣା ନେଇଁ ଭୟ, ଲକ୍ଷାଧିକ ଭାରତୀୟଙ୍କ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ, ଜାନୁଆରୀ ୨୯ : ୟୁଏଇରେ ହୋଇଥିବା ହଉତି ବିଦ୍ରୋହୀଙ୍କ ଆକ୍ରମଣ ଘଟଣା ପରେ ଅଶାନ୍ତି ଦେଖାଯାଇଛି । ବିଦ୍ରୋହୀମାନେ ବର୍ଷ ଆରମ୍ଭରୁ ଲୋହିତ ସାଗରରେ ସଂଯୁକ୍ତ ଆରବ ଇମିରାତର ଏକ ଜାହଜକୁ ଜବରଦଖଲ କରିଛନ୍ତି, ଯେଉଁଥିରେ କି ବହୁତ ସଂଖ୍ୟାରେ ଭାରତୀୟ ଯାତ୍ରୀ ଥିଲେ । ସାଉଦୀ ଆରବର ଅନେକ ସହର ଉପରେ ମଧ୍ୟ ଡ୍ରେନ୍ ଆକ୍ରମଣ କରାଯାଇଛି । ଗତ ୧୭ ତାରିଖରେ ୟୁଏଇର ରାଜଧାନୀ ଆବୁଧାବୀ ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଥିଲା, ଯେଉଁଥିରେ କି ୨ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା । ଏଭଳି ସ୍ଥିତିରେ ୟୁଏଇରେ ରହୁଥିବା ଭାରତୀୟଙ୍କ ଲାଗି ଏଠାରେ କାମ କରିବା ସୁରକ୍ଷିତ ରହୁନାହିଁ । ତେଣୁ ଭାରତୀୟମାନେ ଏବେ ଅଡୁଆରେ ପଡ଼ିଯାଇଛନ୍ତି । ୟୁଏଇ ବର୍ଷବର୍ଷ ଧରି ଉଦ୍ୟମ ପରେ ନିଜକୁ ଏକ ସୁରକ୍ଷିତ ବ୍ୟବସାୟିକ ସ୍ଥଳି ଭାବେ ଗଢ଼ି ତୋଳିଥିଲା । ୟୁଏଇ ଅନ୍ତର୍ଜାତୀୟ ବାଣିଜ୍ୟର ମୁଖ୍ୟ କେନ୍ଦ୍ର ମଧ୍ୟରୁ ଅନ୍ୟତମ ଏବଂ ଏଠାରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ କାମ କରନ୍ତି । ପୁଞ୍ଜି ନିବେଶକାରୀମାନେ କୋଟି କୋଟି ଡଲାର ରାଶି ନିବେଶ କରିଥାନ୍ତି । ୟୁଏଇର ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବିଶ୍ୱର ସର୍ବାଧିକ ବ୍ୟସ୍ତ ରହୁଥିବା ବିମାନବନ୍ଦର ମଧ୍ୟରୁ ଅନ୍ୟତମ ।  ସଂଯୁକ୍ତ ଆରବ ଇମିରାତର ୮୦ ପ୍ରତିଶତ ଲୋକ ହେଉଛନ୍ତି ବିଦେଶୀ । ଏମାନେ ଏଠାରେ ରହି କାମ କରନ୍ତି । ଆବୁଧାବୀରେ ଭାରତୀୟ ଦୂତାବାସ ଅନୁସାରେ ସଂଯୁକ୍ତ ଆରବ ଇମିରାତରେ ରହୁଥିବା ଭାରତୀୟଙ୍କ ସଂଖ୍ୟା ପାଖାପାଖି ୩୫ ଲକ୍ଷ, ଯାହାକି ଇମିରାତର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ । ଏତଦ ବ୍ୟତୀତ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଦୁବାଇ ବୁଲିବାକୁ ଯାଆନ୍ତି । ୨୦୨୧ର ପ୍ରଥମ ୬ ମାସରେ ୨୦ ଲକ୍ଷ ଭାରତୀୟ ଯାତ୍ରୀ ଦୁବାଇ ଯାଇଥିଲେ ।

Leave A Reply

Your email address will not be published.