ୟୁକ୍ରେନ୍‌ ପରମାଣୁ ଘାଟି ଉପରେ କବଜା କଲା ଋଷ: ପ୍ରଥମ ଦିନ ଯୁଦ୍ଧରେ ୧୩୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୨୫/ ୦୨: ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ପ୍ରଥମ ଦିନରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରିଥିଲା ଋଷ । ଉଭୟ ପକ୍ଷର ସେନା ମୃତାହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ ର ୧୩୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଋଷ ସେନା ଗୁରୁବାର ୟୁକ୍ରେନର ଚିର୍ନୋବିଲ୍‌ ପରମାଣୁ ଘାଟି ଉପରେ ଆକ୍ରମଣ କରି କବଜା କରିନେଇଥିବା ଜଣାପଡିଛି । ୟୁକ୍ରେନ୍‌ ସେନା ଋଷ ସହ ପାରୁ ପର୍ଯ୍ୟନ୍ତ ଲଢି ସୁଦ୍ଧା ପରମାଣୁ ଘାଟିକୁ ରକ୍ଷା କରିବାରେ ସକ୍ଷମ ହୋଇନାହାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେଂସ୍କିଙ୍କ ବ୍ୟକ୍ତିଗତ ପରାମର୍ଶଦାତା ମାୟହେଲୋ ପୋଡୋୟକ । ଚିର୍ନୋବିଲ୍‌ ପରମାଣୁ ଘାଟିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅନୁମାନ କରାଯାଉଛି । କାରଣ ଋଷ ସେନା ସେଠାରେ ଭୀଷଣ ଆକ୍ରମଣ କରିବା ପରେ ବ୍ୟାକ୍‌ ଫୁଟକୁ ଚାଲିଯାଇଥିଲେ ୟୁକ୍ରେନ ସେନା । ଅନ୍ୟପଟେ ୟୁକ୍ରେନ୍‌ ସେନାର ଆକ୍ରମଣରେ ପ୍ରାୟ ୪୦ ଜଣ ଋଷ ସୈନ୍ୟଙ୍କ ମୃତ୍ୟୁ ଘଟିଛି । ଗତକାଲି ୟୁକ୍ରେନ ଉପରେ ଆକ୍ରମଣ ପରେ ଶୁକ୍ରବାର ଋଷର ଆଭିମୁଖ୍ୟ କିଭଳି ରହୁଛି ତାହା ବର୍ତ୍ତମାନ ବେଶ ଗୁରୁତ୍ବପୂର୍ଣ୍ଣ ।ଅନ୍ୟପଟେ ୟୁକ୍ରେନ୍‌ ସ୍ଥିତି ଉପରେ ନଜର ରଖିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ୍‌ ଙ୍କ ସହିତ ଫୋନ ଯୋଗେ ମଧ୍ୟ କଥା ହୋଇଛନ୍ତି । ୟୁକ୍ରେନରେ ଫସିଥିବା ଭାରତୀୟ, ବିଶେଷକରି ସେଠାରେ ରହି ପାଠ ପଢୁଥିବା ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଧ୍ୟାନ ଦେବାକୁ ପୁଟ୍ଟିନଙ୍କୁ କହିଛନ୍ତି ମୋଦି ।

Leave A Reply

Your email address will not be published.