ଳାହାଣ୍ଡିରେ କିଏ ଆଗରେ କିଏ ପଛରେ? 

 ପଞ୍ଚାୟତ ଫଇସଲାରେ କିଛି ଜିଲ୍ଲାକୁ ନେଇ ଚର୍ଚ୍ଚା ରହି ଆସିଛି । ତା’ ମଧ୍ୟରୁ କଳାହାଣ୍ଡି ଉପରେ ରହିଛି ଅନେକ ଗୁରୁତ୍ୱ । ମୋଟ୍ ୩୬ଟି ଜିଲ୍ଲାପରିଷଦ ଜୋନ ଥିବା ଜିଲ୍ଲାରୁ ଆସିବାରେ ଲାଗଇଛି ଟ୍ରେଣ୍ଡ୍ ପରେ ଟ୍ରେଣ୍ଡ୍ । ତେବେ ୧୧ଟା ୫୦ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ, ବିଜେଡି ୯, ବିଜେପି ୪ ଓ କଂଗ୍ରେସ ଖାତା ଖୋଲିପାରନଥିବା ଜଣାପଡ଼ିଛି । ଅନ୍ୟପଟେ ଗଣତି ଆରମ୍ଭ ହୋଇଥିବାବେଳେ କିଏ ହେବ କଳାହାଣ୍ଡିର କିଙ୍ଗ୍ ତାକୁ ନେଇ ଚାଲିଛି ଚର୍ଚ୍ଚା । ତେବେ ଗତ ନିର୍ବାଚନରେ କଳାହାଣ୍ଡିରେ ଦେଖିବାକୁ ମିଳିଥିଲା ଛତିଶଗଡ ପ୍ରଭାବ । କାରଣ ଛତିଶଗଡ ସେ ଆୟେ ହେଁ ୩୬ ଲେକର ଯାଏଙ୍ଗେ ନାରାରେ ସଫଳ ହୋଇଥିଲା ବିଜେପି । କଳାହାଣ୍ଡିରେ ବିଜେପି ୩୩ଟି ଜିଲ୍ଲା ପରିଷଦ ଜୋନ୍ ଦଖଲ କରିଥିଲା । କିନ୍ତୁ ବର୍ତମାନ ପରିସ୍ଥିତି ବଦଳିଛି ଓ ଛତିଶଗଡରେ କଂଗ୍ରେସ କ୍ଷମତାରେ ଅଛି । ତେଣୁ କଳାହାଣ୍ଡିରେ କହ୍ନେୟା କୁମାର ଓ ଜିଗ୍ନେଶ ମେୱାନୀ ପ୍ରଚାର କରିଥିଲେ । ଏପରିକି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ସବୁ ରଣକୌଶଳ ଲଗାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଜେଡିରେ ପୁଷ୍ପେନ୍ଦ୍ର ସିଂଦେଓ ନାମକୁ ମାତ୍ର ଜିଲ୍ଲା ସଭାପତି ରହିଛନ୍ତି ବୋଲି ଚର୍ଚ୍ଚା କରାଯାଉଛି । ତାଙ୍କୁ ଚେକ୍ ଦେବାକୁ ଦିବ୍ୟଶଙ୍କର ମିଶ୍ରଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି । ପାଣ୍ଠି ଯୋଗାଡରୁ ଆରମ୍ଭ କରି ସାଂଗଠନିକ ନିଷ୍ପତ୍ତିରେ ତାଙ୍କର ପ୍ରଭାବ ରହିଛି ବୋଲି କୁହାଯାଉଛି । କିନ୍ତୁ ମମିତା ମେହେର ବିବାଦରେ ମନ୍ତ୍ରୀ ଛନ୍ଦି ହୋଇଥିବାରୁ ବିଜେଡି ଉପରେ ପ୍ରଭାବ ପଡିପାରେ । ଏପଟେ କଳାହାଣ୍ଡିରେ ବିଜେପି ସ୍ଥିତି ଏଥର କ’ଣ ହେବ ତାହା ସ୍ପଷ୍ଟ ହୋଇପାରୁନି । ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ଅସୁସ୍ଥତା କାରଣରୁ ବିଜେପି ଏଠାରେ ନେତୃତ୍ୱହୀନ । ସାଂସଦ ବସନ୍ତ ପଣ୍ଡାଙ୍କୁ ଗ୍ରହଣ କରିପାରୁ ନାହାନ୍ତି ପ୍ରଦୀପ୍ତଙ୍କ ଗୋଷ୍ଠୀ ବୋଲି ଗେରୁଆ କ୍ୟାମ୍ପରୁ କମ୍ପନ ହେଉଥିବା ବାରି ହୋଇପଡୁଛି । ମମିତା ପ୍ରସଙ୍ଗରୁ ବିଜେପି ନା କଂଗ୍ରେସକୁ ମିଳିବ ଫାଇଦା ତାହା ଉପରେ ରହିବ ନଜର ।

Leave A Reply

Your email address will not be published.