ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରୁ ଭାରତ

ନୂଆଦିଲ୍ଲୀ ୦୧।୦୪: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଲଢେଇ ଶୁକ୍ରବାର ୩୭ତମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ଭାରତ ଗସ୍ତରେ ଆସିଛନ୍ତି ରୁଷ ବୈଦେଶିକ ମନ୍ତ୍ରୀ ଲାଭରୋଭ। ସେ କହିଛନ୍ତି, ୟୁକ୍ରେନ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରୁ। ଭାରତ ଏମିତି କଲେ ଆମର କୌଣସି ଆପତ୍ତି ନାହିଁ। କାରଣ ୟୁକ୍ରେନ ଲଢେଇରେ ଆରମ୍ଭରୁ ଭାରତର ଆଭିମୁଖ୍ୟ ନିରପେକ୍ଷ ରହିଛି ଏବଂ ଆମେରିକା ଚାପର ବଶବର୍ତ୍ତୀ ହୋଇ ନାହିଁ ବିଶ୍ଵର ସବୁଠୁ ବଡ ଗଣତାନ୍ତ୍ରିକ ଦେଶ। ତେଣୁ ଭାରତ ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରି ପାରିବ। ଲାଭରୋଭ କହିଛନ୍ତି, ରୁଷ ଭାରତ ସହିତ କୌଣସି ପ୍ରକାରର ଯୋଗାଣ ପାଇଁ ପ୍ରତିବଦ୍ଧ। ରୁଷର ଅଶୋଧିତ ତୈଳ କ୍ରୟ ଉପରେ ଲାଭରୋଭ କହିଛନ୍ତି, ଯଦି ଭାରତ ରୁଷଠୁ କିଛି ବି କିଣିବାକୁ ଚାହୁଁଛି ତେବେ ଏହା ଉପରେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ। ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଶୁକ୍ରବାର ନୂଆଦିଲ୍ଲୀରେ ଭାରତ ନେତାଙ୍କ ସହିତ ବୈଠକ କରିଛନ୍ତି। ଭାରତ ଆସିବା ପୂର୍ବରୁ ଲାଭରୋଭ ଚୀନ ଗସ୍ତ କରିଥିଲା। ଏଥିରୁ ସ୍ପଷ୍ଟ ଯେ, ରୁଷ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକର କଟକଣା  ଜବାବରେ ଏସୀୟ ରାଷ୍ଟ୍ରଗୁଡିକୁ ନିଜ ପକ୍ଷରେ ଆଣିବାକୁ ଚେଷ୍ଟା ଚଳାଇଛି। ଲାଭରୋଭ ଶୁକ୍ରବାର ଭାରତୀୟ ପ୍ରତିପକ୍ଷ ଏସ ଜୟଶଙ୍କରଙ୍କୁ ସାକ୍ଷାତ କରି କହିଛନ୍ତି, ୟୁକ୍ରେନ ସହ ଯୁଦ୍ଧରେ ଭାରତ ମଧ୍ୟସ୍ଥତା କରି ପାରିବ। ଏଥିରେ ଆମର କୌଣସି ଆପତ୍ତି ନାହିଁ। କାରଣ ଭାରତ ଆରମ୍ଭରୁ ଏହି ଯୁଦ୍ଧରେ ନିରପେକ୍ଷ ରହି ଆସିଛି। ଏପରିକି ଆମେରିକା ଚାପ ବଶବର୍ତ୍ତୀ ହୋଇ ନାହିଁ ଭାରତ ବୋଲି ଲାଭରୋଭ କହିଛନ୍ତି।

Leave A Reply

Your email address will not be published.