ରାଜସ୍ଥାନକୁ ୩୭ ରନ୍‌ରେ ହରାଇ ଶୀର୍ଷରେ ପହଞ୍ଚିଲା ଗୁଜରାଟ

ମୁମ୍ବାଇ, ଏପ୍ରିଲ ୧୫ : ଇଣ୍ଡିଅନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନୂଆ ଟିମ୍ ହୋଇଥିଲେ ବି ଗୁଜରାଟ୍ ଟାଇଟନ୍ସ ଭଲ ପ୍ରଦର୍ଶନ କରୁଛି । ଚଳିତ ସଂସ୍କରଣର ୨୪ତମ ମ୍ୟାଚରେ ରାଜସ୍ଥାନକୁ ୩୭ ରନ୍‌ରେ ପରାସ୍ତ କରି ଗୁଜରାଟ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ମୁମ୍ବାଇର ଡା ଡିୱାଇ ପାଟିଲ ସ୍ପୋର୍ଟସ ଏକାଡେମୀରେ ଗୁରୁବାର ଟସ୍ ଜିଣି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ରୟାଲ୍ସ ତରଫରୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିବା ପରେ ଗୁଜରାଟ ବ୍ୟାଟିଂ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ୨୦ ଓଭରରେ ୧୯୨ ରନ୍ କରିଥିଲା । ଫଳରେ ରାଜସ୍ଥାନକୁ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । ରାଜସ୍ଥାନ ୨୦ ଓଭରରେ ୯ଟି ୱିକେଟ୍ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା । ଜୋସ୍ ବଟଲର ସର୍ବାଧିକ ୫୪ ରନ୍ କରିଥିଲେ । ସେ ୨୪ଟି ବଲ ଖେଳି ୮ଟି ଚୌକା ଓ ୩ଟି ଛକା ମାରିଥିଲେ । ସିମରନ୍ ହେଟମେୟର ୧୭ଟି ବଲ ସାମ୍ନା କରି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୯ ରନ୍ କରିଥିଲେ । ରିୟାନ ପରାଗ ୧୮ ରନ୍‌, ଜିମି ନୀଶମ ୧୭ ରନ୍ ଓ ଅଧିନାୟକ ସଂଜୁ ସାମନନଙ୍କ ବ୍ୟାଟରୁ ୧୧ ରନ୍ କରିଥିଲେ । ଅନ୍ୟ ଖେଳାଳିମାନେ ନିରାଶ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରାଜସ୍ଥାନ ବିପକ୍ଷରେ ଭଲ ବ୍ୟାଟିଂ କରିଥିଲେ । ଆରମ୍ଭରୁ ଦଳ ଖରାପ ପ୍ରଦର୍ଶନ କରିଥିଲେ ବି ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି ଅଭିନବ ମନୋହର(୪୩ ରନ୍‌)ଙ୍କ ସହିତ ସେ ଭଲ ଭାଗିଦାରୀ ହୋଇପାରିଥିଲେ । ପାଣ୍ଡ୍ୟା ବ୍ୟକ୍ତିଗତ ଭାବେ ୮୭ ରନ୍ ସଂଗ୍ରହ କରିଥିଲେ । ପାଣ୍ଡ୍ୟା ୨.୩ ଓଭର ବୋଲିଂ କରି ୧୮ ରନ୍ ଖର୍ଚ୍ଚ କରିଥିଲେ ଓ ଜିମି ନୀଶମ ଭଳି ବିସ୍ଫୋରକ ବ୍ୟାଟରଙ୍କୁ ଆଉଟ କରିଥିଲେ । ତେବେ ଗୁଜରାଟ ଆଇପିଏଲ୍‌ରେ ନୂଆ ଟିମ୍ ହୋଇଥିଲେ ବି ଭଲ ପ୍ରଦର୍ଶନ କରିଛି । ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୪ଟିରେ ବିଜୟ ହାସଲ କରିବା ସହିତ ଆଇପିଏଲ-୨୦୨୨ର ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି । କୋଲକାତା, ରାଜସ୍ଥାନ, ପଂଜାବ, ଲଖନଉ ଓ ବାଙ୍ଗାଲୋର ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଦିଲ୍ଲୀ ଓ ହାଇଦ୍ରାବାଦ୍ ୨-୨ଟି ମ୍ୟାଚ ଜିତିଥିଲା ବେଳେ ଶକ୍ତିଶାଳୀ ଚେନ୍ନାଇ ଗୋଟିଏ ମ୍ୟାଚ ଜିତିଛି । କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ବି ମ୍ୟାଚ ଜିତିପାରି ନାହିଁ । 

Leave A Reply

Your email address will not be published.