ସନ୍ଧ୍ୟାରେ ବାଙ୍ଗାଲୋର ବନାମ ରାଜସ୍ଥାନ

ନୂଆଦିଲ୍ଲୀ ୨୬/୦୪:  ମଙ୍ଗଳବାର ଆଇପିଏଲର ୩୯ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ୍‌ ଜିତିଲେ ରାଜସ୍ଥାନ ରୟାଲ୍ସ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହେବ । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ପୁଣି ଥରେ ଶ୍ରେଷ୍ଠ ୪ରେ ପ୍ରବେଶ କରିବାର ସୁଯୋଗ ରହିଛି । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ । ସନରାଇଜର୍ସ ଠାରୁ ଲଜ୍ଜା ଜନକ ପରାଜୟ ବରଣ କରିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ଜରୁରି ହୋଇ ଯାଇଛି । ୮ଟି ମ୍ୟାଚ୍‌ରୁ ୫ ବିଜୟ ସହ ରୟାଲ ଚ୍ୟାଲେଞ୍ଜର୍ସ ମୋଟ୍‌ ୧୦ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକା ପଞ୍ଚମ ସ୍ଥାନରେ ରହିଛି । ଅନ୍ୟ ପଟରେ ରାଜସ୍ଥାନ ରୟାଲ୍ସ ୧୦ ପଏଣ୍ଟ ସହ ତୃତୀୟ ସ୍ଥାନ ବଜାୟ ରଖିଛି । ରୟାଲ୍ସ ଦଳର ରନ୍‌ ରେଟ୍‌ ସର୍ବାଧିକ ରହିଛି । ତେଣୁ ଆଜିର ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ହରାଇଲେ ୧୨ ପଏଣ୍ଟ ସହ ରୟାଲ୍ସ ଶୀର୍ଷ ସ୍ଥାନ ଦଖଲ କରିବ । ପୂର୍ବରୁ ଏହି ସ୍ଥାନରେ ରହିଥିବା ଗୁଜରାଟ ଟାଇଟନ୍ସ(୧୨ପଏଣ୍ଟ) ଦ୍ୱିତୀୟକୁ ଖସିବ । ଆଜିର ମ୍ୟାଚ୍‌ ପୂର୍ବରୁ ଜୋସ ବଟଲରଙ୍କ ଫର୍ମ ରୟାଲ୍‌ ଚ୍ୟାଲେଞ୍ଜର୍ସର ନିଦ ହଜାଇ ଦେଇଛି । ଇତି ମଧ୍ୟରେ ୩ଟି ଶତକ ଅର୍ଜନ କରିସାରିଥିବା ବଟଲରଙ୍କୁ ଶାନ୍ତ କରିବା ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲରଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ । ଦୁର୍ଦ୍ଦର୍ଷ ରୟାଲ୍ସକୁ ହରାଇବାକୁ ହେଲେ ବିରାଟ କୋହଲି ଫର୍ମକୁ ଫେରିବା ଅତ୍ୟନ୍ତ ଜରୁରି । ସେ ଶେଷ ୨ଟି ମ୍ୟାଚ୍‌ରେ ଖାତା ଖୋଲି ପାରି ନଥିଲେ । ଇତି ମଧ୍ୟରେ ସେ ୮ଟି ମ୍ୟାଚ୍‌ ଖେଳି ୧୧୭ ରନ୍‌ ସଂଗ୍ରହ କରିଛନ୍ତି । ହେଲେ ତାଙ୍କ ବ୍ୟାଟ୍‌ରୁ ଏକ ବଡ ଇନିଂସ ଦେଖିବାକୁ କ୍ରିକେଟ୍‌ ପ୍ରେମୀ ଆଶା ରଖିଛନ୍ତି । କୋହଲି ଫର୍ମକୁ ଫେରିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସର ବିଜୟ ସମ୍ଭବ ହୋଇପାରିବ । ପୂର୍ବ ରେକର୍ଡକୁ ଦେଖିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ଯାକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟ ହାସଲ କରିଛି।

Leave A Reply

Your email address will not be published.