ଥୋମାସ ଆଣ୍ଡ ଉବେର କପ୍ : ବିଜୟ ସହ ଅଭିଯାନ ଆରମ୍ଭ କଲେ ଭାରତୀୟ ପୁରୁଷ

ନୂଆଦିଲ୍ଲୀ, ୦୯/୦୫:   ଥାଇଲାଣ୍ଡର ବ୍ୟାଙ୍କ୍‌କ ଠାରେ ଆରମ୍ଭ ହୋଇଥିବା ଥୋମାସ ଆଣ୍ଡ୍‌ ଉବେର କପ୍‌ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଭାରତୀୟ ପୁରୁଷ ଓ ମହିଳା ଦଳ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ଭାରତୀୟ ପୁରୁଷ ଦଳ ୫-୦ରେ ଜର୍ମାନୀକୁ ପରାସ୍ତ କରିଥିବାବେଳେ ମହିଳା ଦଳ ୪-୧ରେ କାନାଡ଼ାକୁ ପରାଜିତ କରିଥିଲା । ଥୋମାସ କପ୍‌ (ପୁରୁଷ)ରେ ଅନୁଷ୍ଠିତ ଗ୍ରୁପ୍‌-ସି’ ମ୍ୟାଚ୍‌ରେ ଭାରତ କ୍ଲିନ୍‌ସୁଇପ୍‌ ବିଜୟ ହାସଲ କରିଥିଲା । ବିଶ୍ୱ ଚାମ୍ପିଅନସିପ୍‌ ବ୍ରୋଞ୍ଜ ପଦକ ବିଜେତା ଲକ୍ଷ୍ୟ ସେନ୍‌ ପ୍ରଥମେ କୋର୍ଟକୁ ଓହ୍ଲାଇଥିଲେ । ସେ ୨୧-୧୬, ୨୧-୧୩ରେ ମ୍ୟାକ୍ସ ୱିସ୍କିରଚେନ୍‌ଙ୍କୁ ପରାସ୍ତ କରିଥିଲେ । ଏହାପରେ ଡବଲ୍ସରେ ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ୨୧-୧୫, ୧୦-୨୧, ୨୧- ୧୩ରେ ଜୋନ୍ସ ରାଲ୍‌ଫି ଜାନସେନ ଓ ମାର୍ଭିନ ସିଡେଲ୍‌ ଯୋଡ଼ିଙ୍କୁ ପରାଜିତ କରିଥିଲେ । ଅଭିଜ୍ଞ ସିଙ୍ଗଲ୍ସ ଖେଳାଳି କେ ଶ୍ରୀକାନ୍ତ ୧୮- ୨୧, ୨୧-୯, ୨୧-୧୧ରେ କାଇ ଶ୍ଚାଫରଙ୍କୁ ହରାଇବା ପରେ ଭାରତର ବିଜୟ ନିଶ୍ଚିତ ହୋଇ ଯାଇଥିଲା । ସେହିପରି ଅନ୍ୟ ଡବଲ୍ସ ମ୍ୟାଚ୍‌ରେ ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳା ଯୋଡ଼ି ୨୫-୨୩, ୨୧-୧୫ରେ ବିଜାର୍ନ ଜିସ୍‌ ଓ ଜାନ୍‌ କଲିନ୍‌ ଭୋଏଲକର ଯୋଡ଼ିଙ୍କୁ ପରାସ୍ତ କରିଥିବାବେଳେ ଏଚ୍‌ଏସ୍‌ ପ୍ରଣୟ ୨୧-୯, ୨୧-୯ରେ ମାଥିୟାସ୍‌ କିକ୍‌ଲିଜ୍‌ଙ୍କୁ ହରାଇବା ଫଳରେ ଭାରତ ୫-୦ରେ କ୍ଲିନ୍‌ସୁଇପ୍‌ କରିଥିଲା ।ଉବେର କପ୍‌ (ମହିଳା)ର କାନାଡ଼ା ବିପକ୍ଷ ଗ୍ରୁପ ଡି’ ମ୍ୟାଚ୍‌ରେ ଭାରତ ୪-୧ରେ ବିଜୟୀ ହୋଇଥିଲା । ଡବଲ୍‌ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରଥମ ମ୍ୟାଚ୍‌ରେ ୨୧-୧୭, ୨୧-୧୦ରେ ମିଚେଲି ଲି’ଙ୍କୁ ହରାଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ । ଡବଲ୍ସରେ ଶ୍ରୁତି ମିଶ୍ର ଓ ସିମରନ ସିଂହ ଯୋଡ଼ିଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଏହି ଭାରତୀୟ ଯୋଡ଼ି ୧୯-୨୧, ୧୨-୨୧ରେ ରାଚେଲ ଓ କିର୍ଷ୍ଟେନ ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ । ପରବର୍ତ୍ତୀ ସିଙ୍ଗଲ୍ସ ଆକର୍ଷି କଶ୍ୟପ ୧୭-୨୧, ୨୧-୧୮, ୨୧-୧୭ରେ ୱେନ୍‌ ୟୁ ଝାଙ୍ଗ୍‌ଙ୍କୁ ହରାଇ ଦଳକୁ ଅଗ୍ରଣୀ ପ୍ରଦାନ କରିଥିଲେ । ଦ୍ୱିତୀୟ ଡବଲ୍ସ ମୁକାବିଲାରେ ତନିଶା ଓ ତ୍ରିଶା ଜୋଲି ଯୋଡ଼ି ୨୧-୯, ୨୧-୧୫ରେ କ୍ୟାଥେରିନ୍‌ ଓ ଜୋସେଫିନ୍‌ ଯୋଡ଼ିଙ୍କୁ ପରାସ୍ତ କରି ଦଳକୁ ବିଜୟୀ କରାଇଥିଲେ । ଅନ୍ତିମ ସିଙ୍ଗଲ୍ସରେ ଅସ୍ମିତା ଚଲିହା ୧୨-୨୧, ୨୧-୧୧, ୨୨-୨୦ରେ ରାଚେଲ ଚାନଙ୍କୁ ପରାସ୍ତ କରିଥିଲେ।

Leave A Reply

Your email address will not be published.