ପାଣିରେ ବୁଡିଗଲେ ପରିବାରର ପାଞ୍ଚ ଜଣ

ମୁମ୍ବାଇ ୦୯।୦୫ : ଜଣଙ୍କୁ ବଞ୍ଚାଇବାକୁ ଯାଇ ପାଣି ବୁଡିଗଲେ ୪ଜଣ । ଦେଖୁ ଦେଖୁ ଆଖିପିଛୁଲାକେ ଚାଲିଗଲା ୫ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୩ ଜଣ ଶିଶୁ ଥିବା ଜଣାପଡିଛି । ମହାରାଷ୍ଟ୍ର ଡୋଙ୍ଗିବାଲିରୁ ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଡୋଙ୍ଗିବାଲି ନିକଟ ସଂଦପ ଗାଁରେ ପାଣିର ଘୋର ଅଭାବ ଦେଖାଦେଇଛି । ଏକ ପରିବାର ଗାଁରେ ଥିବା ପୋଖରୀକୁ କପଡ଼ା ଧୋଇବାକୁ ଯାଇଥିଲେ । ପୋଖରୀରେ ମହିଳାମାନେ କପଡା ଧୋଇବାର ବ୍ୟସ୍ତ ଥିଲେ । ଠିକ୍‌ ଏହି ସମୟରେ ତାଙ୍କ ସହିତ ଯାଇଥିବା ଏକ ଶିଶୁ ଅସାବଧାନତାରୁ ପୋଖରୀରେ ପଡିଯାଇଥିଲେ ।ଶିଶୁଟି ପାଣିରେ ପଡିବା ଦେଖି ବାକି ୪ଜଣ ଉଦ୍ଧାର କରିବା ଲାଗି ପାଣିକୁ ଡେଇଁଥିଲେ । ଜଣଙ୍କ ପରେ ଜଣେ ପାଣିକୁ ଡେଇଁଥିଲେ । ପାଣିକୁ ଡେଇଁବା ପରେ ଆଉ କେହି ବାହାରିପାରିନଥିଲେ । ଶେଷରେ ପାଣିରେ ବୁଡି ୫ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ନାମ ମୀରା ଗାୟକଓ୍ୱାଡ଼, ବୋହୂ ଅପେକ୍ଷା, ନାତି ମୟୁରେଶ, ମୋକ୍ଷ ଏବଂ ନୀଲେଶ ବୋଲି ଜଣାପଡିଛି । ସେପଟେ ଏଭଳି ଦୁଃଖଦ ଘଟଣା ଘଟିବା ପରେ ପୁରା ଗାଁରେ ଶୋକର ପରିବେଶ ସୃଷ୍ଟି ହୋଇଯାଇଛି । ଏସଂପର୍କରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବାହିନୀ ପୋଖରୀରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି । ସ୍ଥାନୀୟଲୋକଙ୍କୁ ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.