ନୂଆଦିଲ୍ଲୀ ୧୬।୫: ତାଜମହଲର ୨୨ଟି ବନ୍ଦ କୋଠରୀକୁ ନେଇ ଏବେ ବିବାଦ ଦେଖାଦେଇଛି । ଏହାକୁ ନେଇ ଆବେଦନକାରୀ ଆହ୍ଲାବାଦ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ । ପିଟିସନ୍ରେ ସେ କହିଥିଲେ ଯେ ସେହି ବନ୍ଦ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ସମ୍ବନ୍ଧୀୟ ଛାନଭିନ୍ କରିବାକୁ ସରକାରଙ୍କୁ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଉ । ବିଶ୍ବର ସାତଗୋଟି ଅଦ୍ଭୁତ ଆଶ୍ଚର୍ଯ୍ୟ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ । ତାଜମହଲର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ପ୍ରତିବର୍ଷ ସାରା ବିଶ୍ବରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ପ୍ରେମର ଏହି ସଙ୍କେତକୁ ଦେଖିବାକୁ ଆସିଥାନ୍ତି । କିନ୍ତୁ ଆଜିକାଲି ଏହି ସ୍ମାରକୀ ଅନ୍ୟ କିଛି ପାଇଁ ଚର୍ଚ୍ଚାରେ ରହିଛି । ନିକଟରେ ଜଣେ ବ୍ୟକ୍ତି ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରି ଏହା ଦାବି କରିଥିଲେ ଯେ ରାଜ୍ୟ ସରକାରଙ୍କୁ ତାଜମହଲ ଭିତରେ ଥିବା ୨୨ କୋଠରୀର ଯାଞ୍ଚ କରିବା ଏବଂ ସେଠାରେ ହିନ୍ଦି ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଶାସ୍ତ୍ରର ଉପସ୍ଥିତି ସମ୍ବନ୍ଧୀୟ କିଛି ବି ପ୍ରମାଣର ଛାନଭିନ୍ କରିବାକୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଉ । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛି । ବର୍ତ୍ତମାନ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସଆଇ) ତାଜମହଲର କିଛି କୋଠରୀର ଫଟୋ ଜାରି କରିଛି । ଯେଉଁଠାରେ ନିକଟରେ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଇଥିଲା । ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ଜାନୁଆରୀ ୨୦୨୨ ନ୍ୟୁଜଲେଟରର ୨୦ତମ ପୃଷ୍ଠାରେ ଲେଖାଯାଇଛି ଯେ ନଷ୍ଟ ଏବଂ କ୍ଷୟ ଚୂନର ପ୍ଲାଷ୍ଟରକୁ ହଟାଇ ଦିଆଯାଇଛି । ଏକ ରିପୋର୍ଟ ଅନୁଯାୟୀ, ଏଏସଆଇର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ କେବଳ ତାଜମହଲ ନୁହେଁ ବରଂ ଏପରି ସଂରକ୍ଷଣ କାର୍ଯ୍ୟ ସବୁ ଐତିହ୍ୟସ୍ଥଳରେ କରାଯାଇଥାଏ । ଏଥିପାଇଁ ଆମେ ଆବଶ୍ୟକତା ଅନୁଯାୟୀ ଛାତ ଏବଂ ବେସମେଣ୍ଟ ପର୍ଯ୍ୟନ୍ତ ଯାଇଥାଉ । ଯେପରି ତାଜମହଲର ଭୂତଳ କୋଠରୀର ସଂରକ୍ଷଣ କାର୍ଯ୍ୟ କରାଯାଇଥିଲା ।