ବିକ୍ରି ହେଉଥିଲା ୫୦୦ ବର୍ଷର ପୁରୁଣା ଦୁର୍ଲଭ ଧାତବ ଶିବଲିଙ୍ଗ; ଗ୍ରାହକ ସାଜି ମୁର୍ତ୍ତି ଜବତ କଲା ପୋଲିସ

ଚେନ୍ନାଇ ୧୮/୦୨ : ଯଦି କଥାବାର୍ତ୍ତା ଠିକ ଛିଡିଥାଆନ୍ତା ତାହେଲେ ମୁର୍ତ୍ତି ବିକ୍ରେତା ୨୫ କୋଟି ଟଙ୍କା ବା ୩.୨ ମିଲିୟନ୍‌ ଡଲାର୍‌ରୁ ଅଧିକ ଧନୀ ହୋଇଥାଆନ୍ତା ଓ ମୁର୍ତ୍ତି କିଣୁଥିବା ବ୍ୟକ୍ତି ଜଣଙ୍କ ଭଗବାନ ଶିବଙ୍କର ଏକ ୫୦୦ ବର୍ଷର ପୁରୁଣା ଦୁର୍ଲଭ ମୁର୍ତ୍ତିର ମାଲିକ ହୋଇଥାନ୍ତେ। କିନ୍ତୁ ଏହି ସମୟରେ ଘଟଣାଟି ଏକ ନୂଆ ମୋଡ଼ ନେଇଛି। କିଣୁଥିବା ବ୍ୟକ୍ତି ଜଣଙ୍କ ତାମିଲନାଡ଼ୁ ପୋଲିସ ଆଇଡଲ ୱିଙ୍ଗ ବିଭାଗର ପୋଲିସ ଥିବାବଳେ ବିକ୍ରେତା ଜଣଙ୍କ ଚୋର ଥିଲା। ସୂଚନା ଅନୁସାରେ, ଏକ ଦୁର୍ଲଭ ଧାତବ ମୁର୍ତ୍ତି ସହିତ ଏକ ସବୁଜ ପଥରର ଶିବଲିଙ୍ଗ ବିକ୍ରି ହେଉଥିବା ଖବର ପାଇ ତାମିଲନାଡ଼ୁ ଆଇଡଲ ୱିଙ୍ଗର ସିଆଇଡି ଡିଜିପି ଡକ୍ଟର ଜୟନ୍ତ ମୁରଲୀ ତାଙ୍କ ଟିମ୍‌କୁ ଏକ ଗୁପ୍ତ ଅପରେସନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ୍‌ ଚେନ୍ନାଇ ପାଖରେ ଥିବା ପୁନମୁଲ୍ଲେରେ ବିକ୍ରେତାଙ୍କ ସହିତ ସମ୍ପର୍କ କରିଥିଲେ। ଧନୀ କଳାକୃତି ସଂଗ୍ରହକର୍ତ୍ତା ଭାବେ ପରିଚିତ ସେହି ବିକ୍ରେତା ମୁର୍ତ୍ତିକୁ ୨୫ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ରାଜି ହୋଇଥିଲେ। ଯେପରି ସେହି ମୁର୍ତ୍ତି ବିକ୍ରେତା ତାଙ୍କ ଗୁପ୍ତ କୋଠରୀରୁ ମୁର୍ତ୍ତିକୁ ଖୋଲିଥିଲେ ସଙ୍ଗେ ସଙ୍ଗେ ପୋଲି ସେହି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେହି ମୁର୍ତ୍ତିକୁ ସୁରକ୍ଷିତ କରିଥିଲେ । ଏହି ଧାତବ ମୁର୍ତ୍ତିଟି ନାଗ ବରମନ ସହିତ ଯଡ଼ିତ ଥିବା ଏକମୁଖ ଶିବଲିଙ୍ଗ ଅଟେ। ନାଗ ବରମନ ତଳେ ଶିବଙ୍କର ପାଞ୍ଚଟି ରୂପ ଯଥା ଡମ୍ୱରୁ, ତ୍ରୀଶୁଳ, ସାପ ଭଳି ଚିତ୍ର ଖୋଦିତ ହୋଇଛି। ଏହି ମୁର୍ତ୍ତିରେ ଥିବା ସାପର ପଛ ଭାଗରେ ଗରୁଡ଼ ଉଡ଼ୁଥିବାର ଚିତ୍ର ଥିବା ଜଣା ପଡ଼ିଛି । ଜବତ ହୋଇଥିବା ମୁର୍ତ୍ତିଟି ୫୦୦ ବର୍ଷରୁ ଅଧିକ ପୁରୁଣା ମୁର୍ତ୍ତି ଓ ଏହା ସମ୍ଭବତଃ ନେପାଳର ମୁର୍ତ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ମୁର୍ତ୍ତିଟି କେଉଁଠୁ ମିଳିଛି ତାହା ବର୍ତ୍ତମାନ ତଦନ୍ତ ପରିସରରେ ରହିଛି ଓ ବାକି ଦୁଇଜଣ ଅଭିଯୁକ୍ତ ଗିରଫ ହେଲେ ଏନେଇ ଅଧିକ ତତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.