ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ

ନୂଆଦିଲ୍ଲୀ ୨୪/୦୫: ହରିଦ୍ୱାରରୁ ଅସ୍ଥି ବିସର୍ଜନ କରି ଫେରୁଥିଲେ । ବାଟରେ ଛକି ବସିଥିଲା ମୃତ୍ୟୁ । ଦୁର୍ଘଟଣାରେ ଜୀବନ ହାରିଲେ ଗୋଟିଏ ପରିବାରର ୬ ସଦସ୍ୟ । ଏପରି ଅଭାବନୀୟ ଘଟଣା ଘଟିଛି ହରିୟାଣାର ଜିନ୍ଦ ଜିଲ୍ଲାରେ । ସୂଚନାନୁସାରେ, ହରିୟାଣା ହିସାରର ନାରନୋନ୍ଦରେ ରହୁଥିବା ଏକ ପରିବାର କିଛି ସଦସ୍ୟ ହରିଦ୍ୱାର ଯାଇଥିଲେ । ସେମାନେ ଜଣେ ପରିଜନଙ୍କ ଅସ୍ଥି ବିସର୍ଜନ ସାରି ଘରକୁ ଫେରୁଥିଲେ । କିନ୍ତୁ ଜିନ୍ଦ ଜିଲ୍ଲାର କୈଥର ମାର୍ଗରେ ଥିବା କଣ୍ଡେଲା ଗ୍ରାମରେ ତାଙ୍କ ପିକଅପ୍ ଗାଡି ସହ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଥିଲେ । ଆଉ ୧୭ ଜଣ ଆହତ ମଧ୍ୟ ହୋଇଛନ୍ତି । ଖବର ପାଇଁ ପୋଲିସ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମଟର୍ମ ପାଇଁ ଜିନ୍ଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପୋଲିସ ଟ୍ରକ୍ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.