କଂଗ୍ରେସରେ ଯୋଗ ଦେବା ପାଇଁ ବାପା ବି ମନା କରୁଥିଲେ- ହାର୍ଦ୍ଦିକ ପଟେଲ

ଅହମ୍ମଦାବାଦ, ୨୪|୦୫: ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ ପଟେଲ । ତାଙ୍କର ଭବିଷ୍ୟତକୁ ନେଇ ନାନା ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି । ସେ କେଉଁ ଦଳରେ ଯୋଗଦେବେ ତାହା ଏବେସୁଦ୍ଧା ସ୍ପଷ୍ଟ କରି ନାହାଁନ୍ତି । ଏ ପ୍ରସଙ୍ଗରେ ସୋମବାର ସେ ଏକ ଜାତୀୟ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି । ହାର୍ଦ୍ଦିକ କହିଛନ୍ତି ଯେ, ବହୁତ ଶୀଘ୍ର ସେ ନିଜର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ସ୍ଥିର କରିବେ । ସମାଜ, ରାଷ୍ଟ୍ର ହିତ, ରାଜ୍ୟର ହିତକୁ ପ୍ରଧାନ୍ୟ ଦେଉଥିବା ଦଳରେ ସେ ସାମିଲ ହେବେ । ଏହା କଂଗ୍ରେସରେ କେବେ ହେଲେ ସମ୍ଭବପର ନଥିଲା । ସେ ଗତ ୭ ବର୍ଷ ହେଲା ଗୁଜୁରାଟ ରାଜନୀତିରେ ସକ୍ରିୟ ଅଛନ୍ତି । ଅନେକ ବର୍ଷ ଧରି କଂଗ୍ରେସ ସରକାରରେ ନାହିଁ । ଗୁଜୁରାଟବାସୀ କଂଗ୍ରେସକୁ ପସନ୍ଦ କରନ୍ତି ନାହିଁ । ବିଜେପି ପ୍ରତି ଲୋକଙ୍କ ସମର୍ଥନ ଅଧିକ ଅଛି । ଆଗାମୀ ୧୦ ଦିନରେ ସେ କେଉଁ ଦଳରେ ସାମିଲ ହେବେ ତାହା ଘୋଷଣା କରିବେ । ସେ ଆହୁରି କହିଛନ୍ତି ଯେ, ତାଙ୍କର ବିଚାରଧାରା କେବଳ ଲୋକଙ୍କ ହିତ ପାଇଁ ଅଟେ । ଲୋକଙ୍କ ହିତ ପାଇଁ ସେ ବିଚାରଧାରା ପରିବର୍ତ୍ତନ କରିଦେଇଛନ୍ତି । ତାଙ୍କ ପତ୍ନୀ ଓ ପରିବାର ଲୋକେ ବିଜେପି ସହ ଜଡିତ ଅଛନ୍ତି । ସେ କଂଗ୍ରେସ ଛାଡିବା ପରେ ପତ୍ନୀ ସବୁଠୁ ଖୁସି ହୋଇଥିଲେ । ଏପରିକି ସେ ଯେତେବେଳେ କଂଗ୍ରେସରେ ଯୋଗ ଦେଇଥିଲେ ତାଙ୍କ ପିତା ମଧ୍ୟ କଣ ପାଇଁ ହାତ ଧରିଛି ବୋଲି ପ୍ରଶ୍ନ କରଥିଲେ  । ଏବେ କିନ୍ତୁ ପରିବାରରେ ସମସ୍ତେ ଖୁସି ଥିବା ସେ କହିଛନ୍ତି ।

Leave A Reply

Your email address will not be published.