ଏବେବି ଉଦ୍ଧାର ହୋଇନି ୮୦ ଫୁଟ ତଳେ ଫସିଥିବା ନାବାଳକ

ଛତିଶଗଡ ୧୩/୦୪: ୪୮ଘଣ୍ଟା ଧରି ଚାଲିଛି ଅପରେସନ୍ ରାହୁଲ । ବୋରୱେଲ୍ ଭିତରେ ଫଶିଥିବା ୧୨ବର୍ଷର ରାହୁଲକୁ ଉଦ୍ଧାର ପାଇଁ ଚାଲିଛି ଚେଷ୍ଟା । ୮୦ଫୁଟ ବୋରୱେଲ୍ ଗାତରେ ଗତ ୫୦ଘଣ୍ଟାରୁ ଅଧିକ ସମୟ ଧରି ଫଶି ରହିଛି ରାହୁଲ । ଏତେ ସମୟ ଧରି ଗାତରେ ଫଶି ରହିବା ପରେ ମଧ୍ୟ ସାହସ ହାରିନି ରାହୁଲ । ଗାତ ଭିତରେ ଲଗାତର ପାଣି ଝରୁଥିବାରୁ ବିପଦ ବଢି ଯାଇଛି । ତେଣୁ ଗାତ ଭିତରୁ ପାଣି ନିଷ୍କାସନ କାମ ଜାରି ରହିଛି । ସବୁଠୁ ବଡ଼ କଥା ନିଜେ ରାହୁଲ ବାଲଟିରେ ପାଣି ଭରିବାରେ ସାହାଯ୍ୟ କରୁଛି । ରାହୁଲର ଏହି ସାହସ ଉଦ୍ଧାରକାରୀ ଟିମ୍ ର ଆଶା ବଢାଇ ଦେଇଛି । ଛତିଶଗଡ ଚାମ୍ପା ଜିଲ୍ଲାର ପିହରିଦ ଗାଁର ଏହି ଘଟଣା ଉପରେ ରହିଛି ସାରା ଦେଶର ନଜର । ରେସକ୍ୟୁ ଅପରେସନ୍ ର ସଫଳ ହେବା ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । ନିଜେ ଛତିଶଗଡ ମୁଖ୍ୟମନ୍ତ୍ରୀ ରୁପେଶ ବାଘେଲ ମଧ୍ୟ ରାହୁଲର ପରିବାର ସହ ଲଗାତର କଥା ହେଉଛନ୍ତି । ସୁରକ୍ଷିତ ଉଦ୍ଧାର ପାଇଁ ପରିବାରକୁ ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲା । ସେପଟେ ସେନା, NDRF ଏବଂ SDRF ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏବେ ସେମାନଙ୍କ ସହ ସାମିଲ ହୋଇଛି ଗୁଜରାଚର ରୋବୋଟିକସ୍ ଟିମ୍ । ଗାତ ଭିତରକୁ ରୋବର୍ଟକୁ ପଠାଯାଇଛି । ରୋବର୍ଟରୁ ମିଳୁଥିବା ତଥ୍ୟ ଆଧାରରେ ଅପରେସନ୍ ଜାରି ରହିଛି । ଗତ ଶୁକ୍ରବାର ଅପରାହ୍ନରେ ବୋରୱେଲ୍ ଗାତ ଭିତରେ ଗଳି ପଡିଥିଲା ରାହୁଲ । ପରିବାର ଲୋକ ଖୋଜାଖୋଜି କରିବା ପରେ ଏକଥା ଜାଣି ପାରିଥିଲେ । ରାହୁଲ କଥା କହିପାରେନି କି ଶୁଣିପାରେନି, ତେଣୁ ଉଦ୍ଧାରକାରୀ ଟିମ୍ ପାଇଁ ଏହା ବଡ଼ ଚାଲେଞ୍ଜ ପାଲଟିଛି । ବୋରୱେଲ୍ ଗାତ ପାଖରେ ଖୋଳା ଯାଉଛି । ୬୦ଫୁଟ ପରେ ଟନେଲ୍ ଖୋଳାଯିବ । ତେବେ ଗାତ ଖୋଳିବା ବେଳେ ପଥର ପଡିବା ଫଳରେ ରେସକ୍ୟୁ ଅପରେସନ୍ ବିଳମ୍ବ ହେଉଛି । ଗାତ ଭିତରେ ଫଶିଥିବା ରାହୁଲ ପାଖକୁ ଖାଦ୍ୟ ଏବଂ ପାଣି ପଠାଯାଉଛି । ଲଗାତର ଅକ୍ସିଜେନ୍ ମଧ୍ୟ ଯୋଗାଇ ଦିଆଯାଉଛି । ସିସିଟିଭି କ୍ୟାମେରା ସାହାଯ୍ୟରେ ରାହୁଲର ସ୍ଥିତି ଉପରେ ନଜର ରଖିଛନ୍ତି ରେସକ୍ୟୁ ଟିମ୍ ।

Leave A Reply

Your email address will not be published.