ବାରବାଟୀରେ ହାରିବା ପରେ ସ୍ପିନରଙ୍କ ଉପରେ ବର୍ଷିଲେ ପନ୍ତ, କହିଲେ…

ନୂଆଦିଲ୍ଲୀ ୧୩/୦୬: ବାରବାଟୀରେ ହାରିଛି ଭାରତ । ଟି୨୦ ସିରିଜରେ ଲଗାତର ଦ୍ୱିତୀୟ ପରାଜୟର ସାମ୍ନା କରିଛି ଟିମ୍ ପନ୍ତ । ଦକ୍ଷିଣ ଆଫ୍ରିକା ଭାରତକୁ ୪ ଓ୍ୱିକେଟରେ ପରାସ୍ତ କରି ସିରିଜରେ ୨-୦ରେ ଆଗୁଆ ରହିଛି । ଏହି ମୁକାବିଲାରେ ଭାରତର ବୋଲିଂ ଓ ବ୍ୟାଟିଂ ଉଭୟ ଖୁବ୍ ନୈରାଶ୍ୟଜନକ ଥିଲା । ଯାହାକୁ ନେଇ ଖପ୍ପା ହୋଇଛନ୍ତି ଅଧିନାୟକ ପନ୍ତ । ପରାଜୟ ପରେ ପନ୍ତ କହିଛନ୍ତି ଯେ, ବ୍ୟାଟିଂରେ ସେମାନେ ୧୦ରୁ ୧୫ ରନ୍ ପଛରେ ରହିଗଲେ । ଭୁବନେଶ୍ୱର କୁମାର ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ପ୍ରଥମ ୭ରୁ ୮ ଓଭର ଭାରତ ନିୟନ୍ତ୍ରଣରେ ଥିଲା । ଏହାପରେ କିନ୍ତୁ ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିଥିଲା । କୌଣସି ଓ୍ୱିକେଟ୍ ଯାଇନଥିଲା । ସ୍ପିନରମାନେ ଭଲ ପ୍ରଦର୍ଶନ କରିବା ଆବଶ୍ୟକ ଥିଲା । ତେବେ ଦକ୍ଷିଣ ଆଫ୍ରିକା ଟିମ୍ ଭଲ ବ୍ୟାଟିଂ କରିଥିଲା । ଶେଷ ତିନୋଟି ମୁକାବିଲାରେ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ପନ୍ତ କହିଛନ୍ତି । ପନ୍ତ ଯାହା କହିଛନ୍ତି ତାହା ମିଛ ନୁହେଁ । କାରଣ ମୁଖ୍ୟ ସ୍ପିନର ୟୁଜବେନ୍ଦ୍ର ତହଲ ନିଜର ୪ ଓଭରରେ ୪୯ ରନ୍ ବ୍ୟୟ କରିଥିଲେ । ଅକ୍ଷର ପଟେଲ ମଧ୍ୟ ୧ ଓଭରରେ ୧୯ ରନ୍ ଦେଇଥିଲେ । ଯାହା ଦକ୍ଷିଣ ଆଫ୍ରିକା ସ୍କୋର ଆଗକୁ ବଢାଇବାରେ ବଡ ଭୂମିକା ନେଇଥିଲା । ସୂଚନାଯୋଗ୍ୟ, ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୪୮ ରନ୍ କରିପାରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।

Leave A Reply

Your email address will not be published.