‘ଯଦି ଅଗ୍ନିପଥ ଯୋଜନା ପସନ୍ଦ ନୁହେଁ, ସାମିଲ ହୁଅନ୍ତୁନି, କାହାକୁ ବାଧ୍ୟ କରାଯାଉନି’- ଭିକେ ସିଂ

ନୂଆଦିଲ୍ଲୀ ୧୯/୦୬: ଅଗ୍ୱିପଥ ଯୋଜନାକୁ ଦେଶର ବିଭିନ୍ନ ରାଜ୍ୟରେ ଜୋରଦାର ବିରୋଧ କରାଯାଇଛି । ବିହାର ସମେତ ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ବିରୋଧ ପ୍ରଦର୍ଶନ ଉଗ୍ରରୂପ ଧାରଣ କରିଛି । ବିକ୍ଷୋଭକାରୀ ଟ୍ରେନ୍ ପୋଡିବା ସହ ଅନେକ ଜାତୀୟ ସମ୍ପତ୍ତି ମଧ୍ୟ ନଷ୍ଟ କରିଛନ୍ତି । ଏହାମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭିକେ ସିଂ ଅଗ୍ନିପଥକୁ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କୁ ସମାଲୋଚନା କରିଛନ୍ତି ।  ଭିକେ ସିଂ କହିଛନ୍ତି ଯେ, ଯାହାକୁ ସଶସ୍ତ୍ର ବଳରେ ଭର୍ତ୍ତି ହେବାକୁ ପସନ୍ଦୁ ନୁହେଁ ସେମାନେ ଭର୍ତ୍ତି ହେବା ଦରକାର ନାହିଁ । ଏହା ସ୍ୱଇଚ୍ଛାରେ ହୁଏ । କିଛି ବାଧ୍ୟବାଧକତା ନାହିଁ । ନିଜ ଇଚ୍ଛା ଅନୁସାରେ ସେମାନେ ସାମିଲ ହୋଇପାରିବେ । କିନ୍ତୁ ଭିକ୍ଷୋଭକାରୀମାନେ ବସ୍, ଟ୍ରେନରେ ନିଆଁ ଲଗାଉଛନ୍ତି । ସେମାନଙ୍କୁ ସୁଯୋଗ ମିଳିବନି । କାରଣ ଭର୍ତ୍ତି ହେବା ପୂର୍ବରୁ ବିଭିନ୍ନ ମାନଦଣ୍ଡ ପୂରଣ କରିବାକୁ ପଡେ । ତେବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ବୟାନ ପରେ ଭିକେ ସିଂଙ୍କ ପ୍ରତିକ୍ରିୟା ଆସିଛି । ପ୍ରିୟଙ୍କା କହିଥିଲେ ଯେ, ଅଗ୍ନିପଥ ଯୋଜନା ସେନା ସହ ଯୁବକଙ୍କୁ ମଧ୍ୟ ପଥଭ୍ରଷ୍ଟ କରିବ । ଏହାକୁ ନେଇ ଭିକେ ସିଂ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କୁ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରୁଛି । ତେଣୁ କଂଗ୍ରେସ ଦେଶର ସର୍ବୋତ୍ତମ ସେବାରେ ଭୁଲ ଖୋଜୁଛି । କଂଗ୍ରେସ ସମେତ ବିରୋଧୀ ଦଳ ଯୁବକଙ୍କ ମତିଭ୍ରମ କରୁଛନ୍ତି । ବିରୋଧୀ ଦଳ କେବଳ ସରକାରୀ ଯୋଜନାର ଭୁଲ ବାହାର କରୁଛନ୍ତି । ଏହା ହିଁ ସେମାନଙ୍କର ଏକମାତ୍ର କାମ । ସେମାନେ ସରକାରଙ୍କୁ ବଦନାମ କରିବା ସହ ଅଶାନ୍ତି ସୃଷ୍ଟି କରୁଛନ୍ତି ।

Leave A Reply

Your email address will not be published.