କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍

ନୂଆଦିଲ୍ଲୀ,୦୫/୦୭: ଭାରତ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ୧୩୨ ରନରେ ଆଗୁଆ ଥାଇ ମଧ୍ୟ ଏବେ ପଛେଇ ଯାଇଛି । ଚତୁର୍ଥ ଦିନ ଖେଳ ସରିବା ସୁଦ୍ଧା ଇଂଲଣ୍ଡ ୩୭୮ ରନ ଲକ୍ଷ୍ୟର ପିଛା କରୁଥିବା ବେଳେ ୩ ଓ୍ୱିକେଟ୍ ହରାଇ ୨୫୯ ରନ୍ କରିଛି । ଦଳକୁ ଜିତିବା ପାଇଁ ଆଉ ମାତ୍ର ୧୧୯ ରନ୍ ଦରକାର । ଦଳ ପାଖରେ ଏବେବି ୭ ଓ୍ୱିକେଟ୍ ଅଛି । ତେବେ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଦ୍ୱିତୀୟ ପାଳିରେ ଭାରତର ବ୍ୟାଟରଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଭାରତ ପ୍ରଥମ ପାଳିରେ ୪୧୬ ରନ୍ କରିଥିବା ବେଳେ ଦ୍ୱିତୀୟ ପାଳିରେ ମାତ୍ର ୨୪୫ ରନ୍ କରିପାରିଥିଲା । ଇଂଲଣ୍ଡ ପ୍ରଥମ ପାଳିରେ ୨୮୨ ରନ୍ କରିଥିଲା । ତେବେ ଚଚୁର୍ଥ ଦିନରେ ଭାରତର ଦୟନୀୟ ବ୍ୟାଟିଂକୁ ନେଇ ବିକ୍ରମ କହିଛନ୍ତି ଯେ, ଖରାପ ବ୍ୟାଟିଂ ପାଇଁ ବିପକ୍ଷ ଦଳକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ମିଳିଲା । ଯୋଜନା କାମ ଦେଲାନି । ଭାରତ ଶେଷ ୭ ଓ୍ୱିକେଟ୍ ମାତ୍ର ୯୨ ରନରେ ହରାଇ ଦେଇଥିଲା । ଭାରତ ଏକଦା ଖେଳରେ ଆଗୁଆ ଥିଲା । ଅନେକ ଖେଳାଳି ଭଲ ଆରମ୍ଭ କରିଥିଲେ ବି ବଡ ସ୍କୋର କରିପାରିନଥିଲେ । ସେ ଆହୁରି କହିଛନ୍ତି ଯେ, ଯଦି ଶେଷ ଦିନ ଭାରତକୁ ଦୁଇଟି ଓ୍ୱିକେଟ୍ ମିଳିଯାଏ ତେବେ ଖେଳ ରୋମାଞ୍ଚକର ହୋଇଯିବ । ଏବେବି ଇଂଲଣ୍ଡକୁ ୧୦୦ରୁ ଅଧିକ ରନ୍ ଦରକାର । ଶାମି ଓ ବୁମରାହ ଯେପରି ବୋଲିଂ କରୁଛନ୍ତି ସେମାନଙ୍କ ପାଖରେ ଓ୍ୱିକେଟ୍ ନେବାର ଦକ୍ଷତା ରହିଛି ।

Leave A Reply

Your email address will not be published.