ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଉ ଏକ ପଦକ, ସ୍କ୍ୱାଶରେ କାଂସ୍ୟ ଜିତିଲେ ସୌରଭ ଘୋଷାଲ

ନୂଆଦିଲ୍ଲୀ, ୦୪|୦୮ : ଭାରତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଉ ଏକ ପଦକ ହାତେଇଛି । ସ୍କ୍ୱାଶରେ ଭାରତର ସୌରଭ ଘୋଷାଲ କାଂସ୍ୟ ଜିତିଛନ୍ତି । ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ସ୍କ୍ୱାଶରେ ଭାରତ ସିଙ୍ଗିଲ ଇଭେଣ୍ଟରେ ପଦକ ପାଇଛି । ଏହି ପଦକ ସହ ଭାରତର ମୋଟ୍ ପଦକ ସଂଖ୍ୟା ୧୫ରେ ପହଁଚିଛି । କାଂସ୍ୟ ପଦକ ପାଇଁ ଖେଳାଯାଇଥିବା ଏହି ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସୌରଭ ଘୋଷାଲ ଓ ଇଂଲଣ୍ଡର ଜେମ୍ସ ବିଲଷ୍ଟ୍ରପ୍ । ଆରମ୍ଭରୁ ସୌରଭ ଦମଦବା ଜାହିର କରିଥିଲେ । ସେ ତିନୋଟି ସେଟରେ ବିଜୟ ଲାଭ କରିଥିଲେ । ସେଟ୍ ସ୍କୋର ପରେ ସୌରଭ ନିଜ ବିପକ୍ଷ ଖେଳାଳିଙ୍କୁ ୧୧-୬, ୧୧-୧ ଓ ୧୧-୪ରେ ପରାସ୍ତ କରିଥିଲେ । ୩-୦ ସେଟରେ ସୌରଭ ଏକପାଖିଆ ମୁକାବିଲା ଜିଣି ନେଇଥିଲେ । ତେବେ ବିଜୟୀ ହେଲା ପରେ ସୌରଭ ଇତିହାସ ରଚିଛନ୍ତି । କାରଣ ଏହାପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ କୌଣସି ଖେଳାଳି ସ୍କ୍ୱାଶ୍ ଇଭେଣ୍ଟରେ ଭାରତ ପାଇଁ ପଦକ ଜିତିନଥିଲେ । ସୂଚନାଯୋଗ୍ୟ, ୩୫ ବର୍ଷୀୟ ସୌରଭ ପଶ୍ଚିମବଙ୍ଗର କୋଲକାତାରେ ରୁହନ୍ତି । ତାଙ୍କୁ ଭାରତ ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ । ସେ ୨୦୧୮ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୁପା ଜିତିଥିଲେ ।

Leave A Reply

Your email address will not be published.