ଖୋଜା ଚାଲିଛି ଅଲକାଏଦାର ପରବର୍ତ୍ତୀ ମୁଖିଆ, ରେସରେ ୪ ଦୁର୍ଦ୍ଦାନ୍ତ ଆତଙ୍କବାଦୀ

ନୂଆଦିଲ୍ଲୀ ୦୪/୦୮: ୨୦୧୧ ମେ ୨ରେ ଓସାମା ବିନ୍‌ ଲାଡେନ୍‌ ଓ ଏବେ ଅଲ୍‌-ଜୱାହିରୀର ଖେଳ ଖତମ୍‌ ହୋଇଛି । ଫଳରେ ମୁଖିଆଶୂନ୍ୟ ହୋଇଯାଇଛି ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା । ଏହାର ପରବର୍ତ୍ତୀ ମୁଖ୍ୟ କିଏ ହେବ, ତାହାକୁ ନେଇ ସଂଗଠନରେ ମାନସମନ୍ଥନ ଚାଲିଛି । ଏପଟେ ଆମେରିକା ଓ ଭାରତ ଭଳି କିଛି ଦେଶର ଆଖି ମଧ୍ୟ ତାହା ଉପରେ ନିବଦ୍ଧ ରହିଛି । ତେବେ ୱାଶିଂଟନ ଡିସିର ଥିଙ୍କ୍‌ଟ୍ୟାଙ୍କ୍‌ ମିଡିଲ ଇଷ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ରିପୋର୍ଟ ମୁତାବକ ଅଲ୍‌ କାଏଦା ମୁଖ୍ୟ ପଦ ପାଇଁ ସୈଫ୍‌ ଅଲ୍‌ ଆଦେଲ୍‌ର ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଆଦେଲ୍‌ ଜୱାହିରୀ ଭଳି ଅତ୍ୟନ୍ତ ଦୁର୍ଦ୍ଦାନ୍ତ ଏବଂ ସେ ଅନେକ ଆତଙ୍କୀ କାର୍ଯ୍ୟକଳାପର ନେତୃତ୍ୱ ନେଇ ବାସ୍ତବ ରୂପ ଦେଇଛି । ଆମେରିକା ପାଇଁ ଅଲ୍‌ ଆଦେଲ୍‌ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀ । ତା’ ମୁଣ୍ଡ ଉପରେ ୭୮ କୋଟି ଟଙ୍କାର ପୁରସ୍କାର ରହିଛି । ୨୦୦୧ରେ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ଏଫ୍‌ବିଆଇ) ସୈଫ୍‌ ଅଲ୍‌ ଆଦେଲ୍‌କୁ ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଘୋଷଣା କରିଥିଲା । ୨୦୦୨ରୁ ୨୦୦୩ ମଧ୍ୟରେ ଆଦେଲ୍‌ ଇରାନ୍‌ ପଳାଇଥିଲା । ୨୦୧୦ ପର୍ଯ୍ୟନ୍ତ ତା’ର କାର୍ଯ୍ୟାଳୟ ପାକିସ୍ତାନରେ ଥିଲା । ୧୯୯୩ ଅକ୍ଟୋବର ୪ରେ ସୋମାଲିଆ ରାଜଧାନୀ ମୋଗାଡିସୁରେ ୨ ଆମେରିକୀୟ ହେଲିକପ୍ଟରକୁ ଖସାଇଥିଲା ଅଲ୍‌ ଆଦେଲ୍‌ । ଏଥିରେ ୧୮ ଆମେରିକୀୟଙ୍କ ମୃତ୍ୟୁ ହୋଇଥିଲା । ୧୯୯୮ ଅଗଷ୍ଟ ୭ରେ ନାଇରୋବି, କେନିୟା ଓ ତାଞ୍ଜାନିଆସ୍ଥିତ ଆମେରିକୀୟ ଦୂତାବାସ ଉପରେ ଅଲ୍‌ କାଏଦା ଆକ୍ରମଣ କରିଥିଲା । ଏଥିରେ ଅଲ୍‌ ଆଦେଲ୍‌ର ହାତ ରହିଥିଲା । ଆକ୍ରମଣରେ ୧୨ ଆମେରିକୀୟଙ୍କ ସମେତ ୨୦୦ ଲୋକ ପ୍ରାଣ ହରାଇଥିଲେ ।

Leave A Reply

Your email address will not be published.