ପାଟନା ୨୭।୮: ରେଳବାଇ ଗ୍ରୁପ-ଡି ପରୀକ୍ଷା ପ୍ରଶ୍ନପତ୍ର ପାଟନାରେ ଲିକ୍ ହୋଇଯାଇଛି। ରାମକୃଷ୍ଣ ନଗରର ଏକ ଅନଲାଇନ ପରୀକ୍ଷା କେନ୍ଦ୍ରରେ ଏହି ଘଟଣା ଘଟିଛି। ପରୀକ୍ଷା କେନ୍ଦ୍ରରୁ ପରୀକ୍ଷାର ଉତ୍ତର ଲେଖାଥିବା ପ୍ରଶ୍ନପତ୍ରର ସେଟ୍ ସହ ଜଣେ ଯୁବକକୁ ଗିରଫ କରାଯାଇଛି। ଗିରଫ ଯୁବକ ଫୁଲୱାରୀ ସରିଫର ବାସିନ୍ଦା ବୋଲି ଜଣାପଡିଛି। ସେ ପରୀକ୍ଷା କେନ୍ଦ୍ରକୁ ସମାଧାନ ହୋଇଥିବା ଏକ ପ୍ରଶ୍ନପତ୍ର ସେଟ୍ ସହ ପ୍ରବେଶ କରିଥିଲା। ପରୀକ୍ଷା କେନ୍ଦ୍ରର ସଞ୍ଚାଳକ ତୁରନ୍ତ ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ। ରାମକୃଷ୍ଣ ନଗର ପୋଲିସ ଅନ୍ତର୍ଗତ ଏକ ରେଳବାଇ ଗ୍ରୁପ-ଡି ପରୀକ୍ଷା କେନ୍ଦ୍ରକୁ ଜଣେ ପରୀକ୍ଷାର୍ଥୀ ଶନିବାର ପ୍ରଶ୍ନପତ୍ର ଓ ଉତ୍ତର ଲେଖାଥିବା ସେଟ୍ ସହ ପରୀକ୍ଷା କେନ୍ଦ୍ରକୁ ଆସିଥିଲା। ତେବେ କେନ୍ଦ୍ରରେ ମୁତୟନ ସଞ୍ଚାଳକ ଏହେ ଦେଖିଦେଇଥିଲେ ଓ ତୁରନ୍ତ ପରୀକ୍ଷାର୍ଥୀକୁ ଅଟକ କରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଯୁବକକୁ ଗିରଫ କରିଛି। ପଚରା ଉଚରା ବେଳେ ତା ନିକଟରେ ପୂର୍ବରୁ ପରୀକ୍ଷାର ପ୍ରଶ୍ନପତ୍ର ଥିଲା ଓ ସେ ଏହାର ଉତ୍ତର ପ୍ରସ୍ତୁତ କରି ପରୀକ୍ଷା କେନ୍ଦ୍ରକୁ ଆସିଥିଲା ବୋଲି କହିଛି। ଯୁବକକୁ ଫୁଲବାରୀ ସରିଫର ରଞ୍ଜିତ କୁମାର ଭାବେ ଚିହ୍ନଟ କରାଯାଇଛି। ସେଟ୍ରୁ ପ୍ରଶ୍ନ ପଚାରିବାମାତ୍ରେ ରଞ୍ଜିତ ଫଟାଫଟ ଉତ୍ତର ଦେଉଥିଲା। ତେବେ ରଞ୍ଜିତ ନିକଟକୁ ପ୍ରଶ୍ନପତ୍ର ପହଞ୍ଚିଲା କିପରି ଓ ସେ ପାଇଲା କେଉଁଠୁ ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ ହୋଇଛି। ପଚରା ଉଚରାରେ ରଞ୍ଜିତ ସମାଧାନ ହୋଇଥିବା ପ୍ରଶ୍ନପତ୍ରକୁ ୨ ଲକ୍ଷ ଟଙ୍କାରେ କିଣିଥିଲା ଓ ସେ ଏହାକୁ ଉତାରି କୋଡିଂ କରି ପରୀକ୍ଷା କେନ୍ଦ୍ରରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଲେଖୁଥିଲା। ପଚରା ଉଚରା ପରେ ପୋଲିସ ରଞ୍ଜିତ କୁମାରକୁ ଗିରଫ କରିଛି।