ଏସିଆ କପ୍‌-୨୦୨୨ : ସୋମବାର ପରସ୍ପରକୁ ଭେଟିବେ ଆଫଗାନିସ୍ତାନ ଓ ବାଂଲାଦେଶ

ସାର୍‌ଜା ୨୯।୦୮: ଚଳିତ ଏସିଆ କପ୍‌ର ତୃତୀୟ ଲିଗ୍‌ ମୁକାବିଲାରେ ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ବାଂଲାଦେଶ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ଆଶାବାଦୀ । ଅନ୍ୟ ପଟରେ ଆଫଗାନିସ୍ତାନ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ୨ ପଏଣ୍ଟ ଅକ୍ତିଆର କରିସାରିଛି । ଗ୍ରୁପ୍‌ ବି’ରେ ଆଫଗାନିସ୍ତାନ ଶୀର୍ଷରେ ରହିଛି । ସୋମବାର ବିଜୟ ସହ ଆଫଗାନିସ୍ତାନ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ଫର୍ମାଟ୍‌ ଅନୁଯାୟୀ, ୬ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ପ୍ରତି ଗ୍ରୁପ୍‌ରେ ୩ଟି ଲେଖାଏଁ ଦଳ ରହିଛନ୍ତି । ପ୍ରତ୍ୟେକ ଦଳ ନିଜ ନିଜ ଗ୍ରୁପ୍‌ରେ ପରସ୍ପରକୁ ଭେଟିବେ । ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ପରବର୍ତ୍ତୀ ରାଉଣ୍ଡ୍‌ରେ ପ୍ରବେଶ କରିବେ । ଏହାପରେ ୪ଟି ଦଳକୁ ନେଇ ସୁପର ଫୋର୍‌ ରାଉଣ୍ଡ ଖେଳାଯିବ । ପ୍ରତ୍ୟେକ ଦଳ ଏହି ଗ୍ରୁପ୍‌ରେ ପରସ୍ପରକୁ ଭେଟିବେ । ଶ୍ରେଷ୍ଠ ୨ ଦଳ ଫାଇନାଲ୍‌ରେ ପ୍ରବେଶ କରିବେ । ଶ୍ରୀଲଙ୍କାକୁ ହରାଇବା ପରେ ଆଫଗାନିସ୍ତାନ ମନୋବଳ ଦୃଢ ରହିଛି । ଦଳର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ମୁଜିବ ଉର-ରେହମାନ, ରସିଦ ଖାନ ଓ ମହମ୍ମଦ ନବିଙ୍କୁ ନେଇ ଗଠିତ ସ୍ପିନ ବାହିନୀ ଶ୍ରୀଲଙ୍କାକୁ ଧରାଶାୟୀ କରିଥିଲେ । ବାଂଲାଦେଶ ବିପକ୍ଷରେ ମଧ୍ୟ ଦଳ କମାଲ ଦେଖାଇବ । ଅନ୍ୟ ପଟରେ ଜିମ୍ବାୱେ ଠାରୁ ପରାଜିତ ହୋଇ ଫେରିଥିବା ବାଂଲାଦେଶ ଦଳରେ ସନ୍ତୁଳନର ଅଭାବ ରହିଛି । ଦଳରରେ ଅଭିଜ୍ଞ ଖେଳାଳି ରହିଥିଲେ ହେଁ ସାକିବ ଅଲ୍‌ ହାସନଙ୍କ ଉପରେ ମୁଖ୍ୟତଃ ନିର୍ଭର କରୁଛି । ଅନ୍ୟମାନଙ୍କୁ ସହାୟତା କରିବାକୁ ହେବ ।

Leave A Reply

Your email address will not be published.