ଚାଉଳ କାରବାର ଠପ୍ : ଭାରତର କଟକଣା ପରଠୁ ଏସିଆ ବଜାରରେ ହଇଚଇ

ନୂଆଦିଲ୍ଲୀ, ୧୩|୦୯ :  ଚାଉଳ ରପ୍ତାନି ଉପରେ ଭାରତର କଟକଣା ସମଗ୍ର ଏସିଆ ବଜାରରେ ହଇଚଇ ସୃଷ୍ଟି କରିଛି । ଚାଉଳ କାରବାର ଏକ୍‌ଦମ୍‌ ଠପ୍‌ ହୋଇଯାଇଛି । ଭାରତର କଟକଣା ଘୋଷଣା ପରଠାରୁ ଏସିଆ ବଜାରରେ ଚାଉଳ ଦର ୫% ମହଙ୍ଗା ହୋଇଯାଇଛି ।କ୍ରେତାମାନଙ୍କ ପାଇଁ ଭାରତର ବିକଳ୍ପ ଏବେ ଭିଏତ୍‌ନାମ, ଥାଇଲାଣ୍ଡ ଏବଂ ମ୍ୟାନ୍‌ମାର । ଦର ବଢ଼ୁଥିବାବେଳେ ବିକ୍ରେତାମାନେ ପୁରୁଣା ଚୁକ୍ତିକୁ ସ୍ଥଗିତ ରଖୁଛନ୍ତି । ଅଧିକ ଲାଭ ଆଶାରେ ଏମାନେ ହୁଏତ ଚୁକ୍ତି ସଂଶୋଧନ କରିପାରନ୍ତି । ଭାରତ ବିଶ୍ୱର ସର୍ବବୃହତ୍‌ ଚାଉଳ ରପ୍ତାନିକାରୀ ଭାବେ ଜଣା । ଗତ ଗୁରୁବାର ଏହା ଭଙ୍ଗା ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ସହ ଅନ୍ୟାନ୍ୟ କିସମ ଚାଉଳ ଉପରେ ୨୦%ର ଶୁଳ୍କ ଲାଗୁ କରିଛି । ସ୍ୱଳ୍ପବୃଷ୍ଟି ଯୋଗୁ ଉତ୍ପାଦନ କମିବ ବୋଲି ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଘରୋଇ ବଜାରରେ ଯୋଗାଣ ବଢ଼ାଇବା ଲକ୍ଷ୍ୟରେ ସରକାର ଚାଉଳ ଉପରେ ଏଭଳି କଟକଣା ଲଗାଇଛନ୍ତି । ଚାଉଳ ଉପରେ କଟକଣା ମୁଦ୍ରାସ୍ଫୀତି ଲଢ଼େଇର ଅଂଶବିଶେଷ ବୋଲି ସରକାର କହିଆସୁଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ବ୍ୟବସାୟ କ୍ଷେତ୍ରରେ ଅନେକ ବାଧା ଉପୁଯିଥିଲା । ବିଭିନ୍ନ ସାମଗ୍ରୀ ଦର ବଢ଼ିବା ଫଳରେ ମୁଦ୍ରାସ୍ଫୀତି ଅଣାୟତ୍ତ ହୋଇଛି । ଦରବୃଦ୍ଧିକୁ ଚାଉଳ ତେଜିପାରେ, ଏ ଆଶଙ୍କାରେ ସରକାର ଏହାର ରପ୍ତାନି ଉପରେ କଟକଣା ଲଗାଇଥିବା ଜଣାପଡ଼ିଛି । ଦେଶର ସର୍ବବୃହତ୍‌ ଚାଉଳ ରପ୍ତାନିକାରୀ ଭାବେ ଜଣା ସତ୍ୟମ ବାଲାଜୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିମାଂଶୁ ଅଗ୍ରୱାଲ କହିଛନ୍ତି ଯେ, ସମଗ୍ର ଏସିଆରେ ଚାଉଳ କାରବାର ଠପ୍‌ । ଦର ବଢୁଛି । ଏଭଳି ସ୍ଥିତିରେ ବିକ୍ରେତାମାନେ ତରବରିଆ ହୋଇ କୌଣସି ଚୁକ୍ତି କରିବାକୁ ଚାହୁଁନାହାନ୍ତି।

Leave A Reply

Your email address will not be published.