ପିଲାଙ୍କୁ ବିଗାଡୁଛି ସୋସିଆଲ୍‌ ମିଡିଆ

ମୁମ୍ଵାଇ ୧୬।୦୯: ସୋସିଆଲ ମିଡିଆର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।  ପ୍ରାଥମିକ  ସ୍କୁଲ ପିଲାଙ୍କ ଠାରୁ ସବୁ ଯୁବ ବର୍ଗ ପର୍ଯ୍ୟାପ୍ତ ନିଦ ପାଉ ନାହାନ୍ତି । ଏକ ଅଧ୍ୟୟନ ଏହାର ଖୁଲାସା କରିଛି । ୧୦ରୁ ୧୧ ବର୍ଷ ବୟସର ପିଲା  ପ୍ରତି ରାତିରେ ୧୨ ଘଣ୍ଟା ନିଦ ପାଉନାହାନ୍ତି । ଏହା  ପରିବର୍ତ୍ତେ ସେମାନେ ହାରାହାରି ୮.୭ ଘଣ୍ଟା ଶୋଇବାକୁ  ପାଉଛନ୍ତି । ଡି ମଣ୍ଟଫର୍ଟ ବିଶ୍ୱବିଦ୍ୟାଳୟର ଗବେଷକ ଡା.  ଜନ୍‌ ଶ ଙ୍କ ନେତୃତ୍ୱରେ ଲିସେଷ୍ଟର୍‌ ସ୍ଥିତ ସମସ୍ତ ସ୍କୁଲରେ  ଏହି ଅଧ୍ୟୟନ କରାଯାଇଥିଲା ।  ଅଧ୍ୟୟନରେ ସୋସିଆଲ ମିଡିଆରେ ସମୟ ବିତାଉଥିବା  ୧୦ ବର୍ଷ ବୟସର ୬୦ ପିଲାଙ୍କୁ ସାମିଲ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ୮୯ ପ୍ରତିଶତ ପିଲାଙ୍କର ନିଜର  ସ୍ମାର୍ଟଫୋନ୍‌ ଥିଲା । ୫୫.୪ ପ୍ରତିଶତ ଟ୍ୟାବ୍‌ ବ୍ୟବହାର  କରୁଥିଲେ । ୨୩.୨ ପ୍ରତିଶତ କମ୍ପ୍ୟୁଟର ଏବଂ ୯  ପ୍ରତିଶତ ପିଲା ସ୍ମାର୍ଟୱାଚ୍‌ ବ୍ୟବହାର କରୁଥିବା କଥା  କହିଥିଲେ । କିଶୋରଙ୍କ ଉପରେ ସୋସିଆଲ ମିଡିଆ,  ନିଦ ଓ ଫୋମୋ (ଫିଅର୍‌ ଅଫ୍‌ ମିସିଙ୍ଗ ଆଉଟ୍‌ ବା  ହରାଇବାର ଭୟ)ର ଏହି ଅଧ୍ୟୟନ ପ୍ରଥମ । ରାତିରେ  ଯେଉଁ ସମୟରେ ଶୋଇବା ଉଚିତ୍‌, ସେହି ସମୟରେ  ପ୍ରତି ୮ ଜଣ ପିଲାଙ୍କ ମଧ୍ୟରେ ଜଣେ ସୋସିଆଲ  ମିଡିଆ ବ୍ୟବହାର କରୁଥିଲେ ବୋଲି ଗବେଷକମାନେ  ଜାଣିବାକୁ ପାଇଲେ ।  ପ୍ରାୟ ୬୯ ପ୍ରତିଶତ ପିଲା କହିଥିଲେ ଯେ ଦିନକୁ  ସେମାନେ ୪ ଘଣ୍ଟାରୁ ଅଧିକ ସମୟ ସୋସିଆଲ  ମିଡିଆରେ ବ୍ୟସ୍ତ ରହୁଛନ୍ତି । ୬୬ ପ୍ରତିଶତ ପିଲା  ବିଛଣାକୁ ଯିବା ପୂର୍ବରୁ ପ୍ରାୟ ୨ ଘଣ୍ଟା ଫୋନ୍‌ରେ  ସମୟ ବିତାଉଛନ୍ତି । ୧୨.୫ ପ୍ରତିଶତ ଅର୍ଦ୍ଧରାତ୍ରିରେ  ଫୋନ୍‌ ବ୍ୟବହାର କରିବା ବିଷୟରେ କହିଛନ୍ତି । ଏହା  ଆଶ୍ଚର୍ଯ୍ୟଜନକ ତଥ୍ୟ ବୋଲି ଗବେଷକମାନେ କହିଛନ୍ତି ।   ୮୯ ପ୍ରତିଶତ ପିଲା ସବୁଠୁ ଲୋକପ୍ରିୟ ପ୍ଲାଟ୍‌ଫର୍ମ  ଟିକ୍‌ ଟକ୍‌ ବ୍ୟବହାର କରୁଛନ୍ତି । ୮୩.୯ ପ୍ରତିଶତ  ସ୍ନାପ୍‌ଚାଟ୍‌, ୮୭.୫ ପ୍ରତିଶତ ୟୁଟ୍ୟୁବ୍‌, ୫୭ ପ୍ରତିଶତ  ପିଲା ଇନ୍‌ଷ୍ଟାଗ୍ରାମ୍‌, ୧୭ ପ୍ରତିଶତ ରେଡିଟ୍‌ ଏବଂ ୨  ପ୍ରତିଶତରୁ କମ୍‌ ପିଲା ଫେସ୍‌ବୁକ୍‌ ବ୍ୟବହାର କରୁଥିବା  ଜଣାପଡ଼ିଲା । ସେମାନେ ଯେତେ ଅଧିକ ସମୟ  ସୋସିଆଲ ମିଡିଆରେ ସମୟ ବିତାଉଥିଲେ, ନିଦର  ଗୁଣବତ୍ତା ଆହୁରି ଖରାପ ହେଉଥିଲା ।

Leave A Reply

Your email address will not be published.