କଂଗ୍ରେସ ଜି-୨୩ ନେତାଙ୍କ ବୈଠକ; ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଭରିପାରନ୍ତି ମନୀଷ ତିୱାରୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଦଳର ଜି-୨୩ ନେତାଙ୍କ ବୈଠକ  ହୋଇଛି। ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କ ଘରେ ଏହି ବୈଠକ ହୋଇଥିବା ବେଳେ ପୃଥିବୀରାଜ ଚୌହ୍ୱାନ, ମନୀଷ ତିୱାରୀ, ଭୁପିନ୍ଦର ହୁଡ୍ଡା ଆଦି ନେତା ଏଥିରେ ଯୋଗ ଦେଇଥିଲେ। ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଜି-୨୩ ନେତାଙ୍କ ଆଲୋଚନା ହୋଇଥିଲା। ସୂଚନା ଥାଉକି ଜ-୨୩ରେ ଥିବା ବରିଷ୍ଠ ନେତାମାନେ କଂଗ୍ରେସ ସାଂଗଠନିକ ପରିବର୍ତ୍ତନ ନେଇ ବାରମ୍ବାର ଅଭିଯୋଗ କରି ଆସିଛନ୍ତି। କିଛି ନେତା ନିରାଶ ହୋଇ ଦଳ ମଧ୍ୟ ଛାଡ଼ିଛନ୍ତି। ଏବେ ଦଳର ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଜି-୨୩ ନେତା ପୁଣି ସକ୍ରିୟ ହୋଇପଡିଛନ୍ତି। ସମସ୍ତେ ମିଶି ବୈଠକ କରିବା ପରେ ଆନନ୍ଦ ଶର୍ମା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲୋଟ୍‌ଙ୍କୁ ଭେଟିଛନ୍ତି। ବର୍ତ୍ତମାନ ଅଧ୍ୟକ୍ଷ ପାଇଁ ଶଶି ଥରୁର ଓ ଦିଗବିଜୟ ସିଂହଙ୍କ ନା ସମସ୍ତଙ୍କ ସାମ୍ନାକୁ ଆସି ସାରିଥିବା ବେଳେ ମୁକୁଲ ୱାସିନକ, ମୀରା କୁମାର ଓ ମଲ୍ଲିକାର୍ଜୁନ ଖଡ଼ଗେ ଏହି ପଦ ପାଇଁ ଦୌଡ଼ରେ ରହିଥିବା କୁହାଯାଉଛି। ପୁଣି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଗୁରୁବାର ରାତିରେ ସୋନିଆ ଗାନ୍ଧୀ ପ୍ରିୟଙ୍କାଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ପ୍ରିୟଙ୍କା ଅଧ୍ୟକ୍ଷା ହେବା ଉଚିତ୍ ବୋଲି କଂଗ୍ରେସ ସାଂସଦ ଅବଦୁଲ ଖାଲିକ୍ ସୂଚନା ଦେଇଥିଲେ। ତବେ ରାହୁଲ କହୁଛନ୍ତି ଗାନ୍ଧୀ ପରିବାରରୁ ଆଉ କେହି ଅଧ୍ୟକ୍ଷ ହେବେ ନାହିଁ। ଦେଖିବାକୁ ଗଲେ ପ୍ରିୟଙ୍କା ବିବାହ ସରିଥିବାରୁ ସେ ଗାନ୍ଧୀ ପରିବାର ନୁହଁନ୍ତି। ସେ ଭଦ୍ରା ପରିବାର ବୋହୂ। ତେଣୁ ତାଙ୍କର ଅଧ୍ୟକ୍ଷା ହେବା ଦରକାର ବୋଲି ଖଲିକ୍ କହିଥିଲେ। 

Leave A Reply

Your email address will not be published.