ଓସ୍କାର ଏଣ୍ଟ୍ରୀ ଭାରତୀୟ ଫିଲ୍ମର ରିଲିଜ୍‌ ପୂର୍ବରୁ ଚାଲିଗଲେ ଶିଶୁ କଳାକାର

ମୁମ୍ବାଇ: ଏକମାତ୍ର ଭାରତୀୟ ଫିଲ୍ମ ଭାବେ ଓସ୍କାର ୨୦୨୩ରେ ପ୍ରବେଶ କରିଥିବା ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ ବା ଲାଷ୍ଟ ଫିଲ୍ମ ଶୋ’ ଆଉ କିଛି ଦିନ ପରେ ରିଲିଜ୍‌ ହେବ। ହେଲେ ଫିଲ୍ମର ରିଲିଜ୍‌ ପୂର୍ବରୁ ଆସିଛି ଦୁଃଖଦ ଖବର। ଏହି ଫିଲ୍ମରେ ଥିବା ୬ ଜଣ ଶିଶୁ କଳାକାରଙ୍କ ମଧ୍ୟରୁ ୧୫ ବର୍ଷୀୟ ରାହୁଲ କୋଲି ଆଉ ନାହାନ୍ତି। ଫିଲ୍ମଟି ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଥିବାରୁ ଏହାର ୬ ଶିଶୁକଳାକାର ରାତିରାତି ଷ୍ଟାର ବନି ଯାଇଥିଲେ। କିନ୍ତୁ ରାହୁଲ ଅକ୍ଟୋବର ୨ ତାରିଖରୁ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାହୁଲ ମାରାତ୍ମକ ଲିକୋମିଆ(Leukemia) ରୋଗରେ ପୀଡ଼ିତ ଥିଲେ। ଏହା ଏକ ରକ୍ତ ଜନିତ କର୍କଟ ରୋଗ। ଏଥିପାଇଁ ୪ ମାସ ହେଲା ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରାହୁଲଙ୍କ ପାଇଁ ସୋମବାର ଗୁଜରାଟର ଜାମନଗର ସ୍ଥିତ ହାପାରେ ଶୋକସଭା ଆୟୋଜନ କରାଯାଇଥିଲା। ତାଙ୍କ ବାପା ରାମୁ କୋଲି ଜଣେ ଅଟୋ ଚାଳକ। ପୁଅର ଦେହାନ୍ତ ସମ୍ପର୍କରେ ସେ କହିବା ବେଳେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ତାଙ୍କ କହିବା କଥା ହେଉଛି ରାହୁଲ କୋଲି ପ୍ରଥମେ ଜ୍ୱର ଅନୁଭବ କରିଥିଲେ। ପରିବାର ଲୋକ ଏହାକୁ ସାଧାରଣ ଜ୍ୱର ଭାବି ଚିକିତ୍ସା ମଧ୍ୟ କରିଥିଲେ। ହେଲେ କିଛି ସମୟ ଜ୍ୱର ଛାଡ଼ୁଥିବା ବେଳେ ପୁଣି ଏହା ଫେରୁଥିଲା। ତାଙ୍କ ଅବସ୍ଥା ଧୀରେଧୀରେ ଗୁରୁତର ହେବାରୁ ପରିବାର ଲୋକେ ପ୍ରଥମେ ତାଙ୍କୁ ଜାମନଗର ହସ୍ପିଟାଲକୁ ନେଇଥିଲେ। ସେଠାରେ କୌଣସି ସୁଫଳ ନ ମିଳିବାରୁ ଶେଷରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅହମଦାବାଦ ଅଣା ଯାଇଥିଲେ। ରବିବାର ଅକ୍ଟୋବର ୨ ତାରିଖ ସକାଳେ ରାହୁଲ ବ୍ରେକଫାଷ୍ଟ କରିଥିଲେ। ଖାଦ୍ୟ ଖାଇବାର କିଛି ଘଣ୍ଟା ପରେ ତାଙ୍କୁ ଭୀଷଣ ଜ୍ୱର ହୋଇଥିଲା। ସେ ୩ ଥର ରକ୍ତବାନ୍ତି ମଧ୍ୟ କରିଥିଲେ। ଶେଷରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ବାପା ରାମୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.