ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା, ସାନିଆ-ସୋଏବଙ୍କ ତଲାକ୍

ଇସ୍‌ଲାମାବାଦ, ୧୦/୧୧: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ଅଲଗା ହେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ସେମାନେ ବିଧିବଦ୍ଧ ଭାବେ ପରସ୍ପରକୁ ଛାଡ଼ପତ୍ର ଦେଇସାରିଥିବା ପାକ୍‌ ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି । ସୋଏବଙ୍କ ମ୍ୟାନେଜମେଣ୍ଟର ଜଣେ ଟିମ୍‌ ସଦସ୍ୟ ଏହି ସୂଚନା ଦେଇଛନ୍ତି । ଉଭୟଙ୍କ ଆଉ ଜଣେ ନିକଟତମ ବନ୍ଧୁଙ୍କ କହିବା ଅନୁସାରେ, ଛାଡ଼ପତ୍ର ପାଇଁ ଆଇନଗତ କାଗଜପତ୍ର ପ୍ରସ୍ତୁତ ହୋଇସାରିଛି । କେବଳ କେତେକ ଫର୍ମାଲିଟି ପୂରଣ କରିବାକୁ ଅଛି । ଖୁବଶୀଘ୍ର ସେମାନେ ପରସ୍ପରଠାରୁ ଅଲଗା ହେବେ । ସାନିଆ ଏବେ ଦୁବାଇରେ ଥିବାବେଳେ ସୋଏବ ପାକିସ୍ତାନରେ ଅଛନ୍ତି । ନିକଟରେ ସାନିଆ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଥିଲେ, ଭାଙ୍ଗିଯାଇଥିବା ହୃଦୟର ଗତି କୁଆଡ଼େ । ଏହି ପୋଷ୍ଟ ପରେ ଉଭୟଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହିପରି ସାନିଆଙ୍କ ଇନ୍‌ଷ୍ଟା ଆକାଉଣ୍ଟରୁ ମଧ୍ୟ ସୋଏବ୍‌ଙ୍କ ଅନେକ ଫଟୋ ହଟିଯାଇଛି । ତେବେ ଅଦ୍ୟାବଧି ସାନିଆ କିମ୍ବା ସୋଏବ ଏହା ଉପରେ କୌଣସି ପ୍ରତିକ୍ର୍ରିୟା ଦେଇନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୧୦ ଏପ୍ରିଲରେ ଏହି ଷ୍ଟାର ପ୍ରେମୀଯୁଗଳ ବିବାହ କରିଥିଲେ । ସେମାନଙ୍କ ପୁଅ ଇଜ୍‌ହାନକୁ ଏବେ ୪ ବର୍ଷ । ନିକଟରେ ଉଭୟେ ଦୁବାଇରେ ପୁଅର ଜନ୍ମଦିନ ପାଳିଥିଲେ । ଏହାର ଫଟୋ ମଧ୍ୟ ସୋଏବ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲେ.

Leave A Reply

Your email address will not be published.