ରୋହିତ ଏବଂ ରାହୁଲଙ୍କ ଛୁଟି ପରେ ନ୍ୟୁଜିଲାଣ୍ଡରେ କିଏ କରିବ ଓପନିଂ

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵ କପର ବିଫଳ ଅଭିଯାନ ପରେ ଭାରତୀୟ କ୍ରିକେଟ୍ ଦଳ ନୂତନ ମିଶନରେ ନ୍ୟୁଜିଲାଣ୍ଡ ପହଞ୍ଚି ସାରିଛନ୍ତି। ବରିଷ୍ଠ ଖେଳାଳିଙ୍କୁ ଉକ୍ତ ଶୃଙ୍ଖଳାରେ ବିଶ୍ରାମ ଦିଆଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ଲାଗି ଅଧିନାୟକ ନିଯୁକ୍ତ କରାଯାଇଛି। ତେବେ ଦଳ ପାଖରେ କୌଣସି ନିୟମିତ ଓପନର ନାହାନ୍ତି। ଯେଉଁ ଓପନର ଅଛନ୍ତି, ସେମାନେ ଦଳରୁ କେବେ ବାଦ୍ ପଡୁଛନ୍ତି ତ କେବେ ସାମିଲ୍ ହେଉଛନ୍ତି। ତେଣୁ ନ୍ୟୁଜିଲାଣ୍ଡ ଗସ୍ତରେ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ଵରେ ଥିବା ଭିଭିଏସ ଲକ୍ଷ୍ମଣଙ୍କ ପାଇଁ ନୂତନ ଓପନିଂ ଯୋଡି ସ୍ଥିର କରିବା ସହଜ ହେବ ନାହିଁ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୮ରୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କୁ ଉକ୍ତ ଗସ୍ତରୁ ବିଶ୍ରାମ ଦିଆଯାଇଛି। ଏମିତି ସ୍ଥିତିରେ ଦଳରେ ଓପନିଂ ପାଇଁ ଦୁଇ ନୁହେଁ ବରଂ ଚାରି ଖେଳାଳି ଦାବିଦାର ଅଛନ୍ତି। ଶୁଭମାନ ଗିଲଙ୍କ ନିକଟରେ ପ୍ରଦର୍ଶନ ଚମତ୍କାର ରହିଛି। ଅନେକ ପୂର୍ବତନ ଖେଳାଳି ମଧ୍ୟ ତାଙ୍କ ପ୍ରଦର୍ଶନରେ ପ୍ରଭାବିତ। ଇଶାନ କିଷନ ବି ବ୍ୟାକଅପ ଓପନର ଭାବେ ଦଳରେ ଅଛନ୍ତି। ରୋହିତ ଏବଂ ରାହୁଲଙ୍କ ଉପସ୍ଥିତିରେ ବି ତାଙ୍କୁ ଦଳରେ ଓପନର ଭାବେ ସୁଯୋଗ ମିଳିଛି। ତେଣୁ ଗିଲ୍ ଏବଂ ଇଶାନ କିଷନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଓପନିଂ ଭାବେ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି।

Leave A Reply

Your email address will not be published.