ଗୁଜରାଟର ଏହି ଗାଁ ଏବେ ବି ପକ୍କା ସଡକ ଅପେକ୍ଷାରେ, ଲୋକେ କହିଲେ- ‘ନୋ ରୋଡ୍, ନୋ ଭୋଟ୍

ଅହମ୍ମଦାବାଦ: ଗୁଜରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନକୁ ପାଞ୍ଚ ଦିନ ବାକି ରହିଛି। ଗୋଟିଏ ପଟେ ଭୋଟ୍ ହାତେଇବା ପାଇଁ ବିଭିନ୍ନ ଦଳର ନେତା ଏବଂ କର୍ମୀମାନେ ଗାଁ ଗାଁ ଏବଂ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ତେବେ ରାଜ୍ୟରେ ଏମିତି କିଛି ଗାଁ ରହିଛି ଯେଉଁଠି ନେତାମାନଙ୍କୁ ପାଦ ପକାଇବାକୁ ଦେଉ ନାହାନ୍ତି। ଏହି ଗାଁ ଲୋକେ ୨୦୨୨ ବିଧାନସଭା ନିର୍ବାଚନକୁ ବର୍ଜନ କରିଛନ୍ତି। ପ୍ରଥମେ ସମସ୍ୟାର ସମାଧାନ କର, ପରେ ଯାଇ ଭୋଟ୍ ନେବାକୁ ଆସିବ। ରାଜ୍ୟର ଅରାଭଲି ଜିଲ୍ଲାରେ ଅବସ୍ଥିତ ଏହି ଗାଁର ନାମ ହେଉଛି ଚେହଓ୍ଵାନ ମୁଓ୍ଵାଡା। ଏଠାକାର ବାସିନ୍ଦା କୌଣସି ଦଳର ନେତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ଗାଁରେ ପଶିବାକୁ ଦେଉ ନାହାନ୍ତି। ଗାଁ ଲୋକଙ୍କ କହିବା କଥା ଯେ ପର୍ଯ୍ୟନ୍ତ ଗାଁରେ ପକ୍କା ସଡକ ନିର୍ମାଣ ହୋଇ ନାହିଁ, ସେ ପର୍ଯ୍ୟନ୍ତ ଭୋଟ୍ ଦେବେ ନାହିଁ। ଗାଁ ଲୋକେ ଗାଁ ବାହାରେ ‘ନୋ ରୋଡ୍, ନୋ ଭୋଟ୍’ ବ୍ୟାନର ବି ଲଗାଇଛନ୍ତି। ୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଛୋଟ ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଛି। ମାତ୍ର ଗାଁରେ ପକ୍କା ରାସ୍ତାଟିଏ ନାହିଁ। ଯେଉଁ ରାସ୍ତା ଅଛି ତାର ଅବସ୍ଥା ନକହିବା ଭଲ। କୌଣସି ମେଡିକାଲ୍ କିମ୍ବା ଜରୁରୀକାଳୀନ କାମରେ ଗାଁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକେ ଖଟିଆରେ ରୋଗୀଙ୍କୁ ଧରି ହସ୍ପିଟାଲ୍ ଯାଆନ୍ତି। କାରଣ ଗାଁକୁ ଆମ୍ବୁଲାନ୍ସ ବି ପହଞ୍ଚି ପାରୁ ନାହିଁ। ଚାରି ମାସର ବର୍ଷା ଋତୁରେ ଗାଁଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଏଠାରୁ ଲୋକଙ୍କୁ ବାହାରିବା ମୁସ୍କିଲ ହୋଇପଡେ। ଏହି ପରି ଆଉ ଏକ ଗାଁ ରହିଛି, ଯେଉଁଠି ଲୋକେ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ତାଙ୍କର ଦାବି ଭିନ୍ନନ ରହିଛି। ଗାଁର ଲୋକେ ବାଲି ମାଫିଆଙ୍କ ଉପରେ ଲଗାମ ଲଗାଇବାକୁ ଦାବି କରିଛନ୍ତି। ନର୍ମଦା ଜିଲ୍ଲାର ଓରି ଗାଁ ବାସିନ୍ଦାଙ୍କ କହିବା କଥା ବେଆଇନ ବାଲି ଚାଲାଣ କାରଣରୁ ଖେତରେ ବାଲି ଚରି ଯାଉଛି। ଏଥିରେ ଫଲସ ବରବାଦ ହେବା ସହ ଟ୍ରକ ଯାତାୟତ କାରଣରୁ ଗାଁର ସ୍ଥିତି ଦୟନୀୟ ହେବାରେ ଲାଗିଛି। ଲୋକଙ୍କ ସ୍ଵାସ୍ଥ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡୁଛି।

Leave A Reply

Your email address will not be published.