ନ୍ୟୁଜିଲାଣ୍ଡ ପରେ ଏବେ ଭାରତୀୟ ଦଳର ବାଂଲାଦେଶ ଗସ୍ତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପରେ ଏବେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ ଦଳ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଦଳ ଜିତିଥିବା ବେଳେ ଦିନିକିଆ ସିରିଜ୍‌ରେ ପରାସ୍ତ ହୋଇଛି। ଏବେ ବାଂଲାଦେଶ ଗସ୍ତରେ ଦଳ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ଖେଳିବ। ଏ ନେଇ ଭାରତୀୟ ଦଳ ଘୋଷଣା ହୋଇ ସାରିଛି। ନ୍ୟୁଜିଲାଣ୍ଡ ଗସ୍ତରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ନେତୃତ୍ଵ ନେଇଥିବା ବେଳେ ଶିଖର ଧାଓ୍ଵନ ଦିନିକିଆ ସିରିଜରେ ଅଧିନାୟକ ଦାୟିତ୍ଵରେ ରହିଥିଲେ। ଏହି ଗସ୍ତରେ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ଏବେ ବରିଷ୍ଠ ଖେଳାଳି ବାଂଲାଦେଶ ବିପକ୍ଷ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍‌ରୁ ଦଳ ନିଜର ଗସ୍ତ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ଡିସେମ୍ବର ୪ରେ ଖେଳାଯିବ। ଦ୍ଵିତୀୟ ଦିନିକିଆ ଡିସେମ୍ବର ୭ ଏବଂ ତୃତୀୟ ମ୍ୟାଚ୍ ଡିସେମ୍ବର ୧୦ରେ ଖେଳାଯିବ। ଏହାପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟ ଡିସେମ୍ବର ୧୪ ଏବଂ ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୨୨ରୁ ଆରମ୍ଭ ହେବ।

Leave A Reply

Your email address will not be published.