ଭାରତରୁ ଚିହ୍ନଟ ହେଲା ଓମିକ୍ରନର ଆଉ ଏକ ମାରାତ୍ମକ ଭାରିଏଣ୍ଟ

ଅହମଦାବାଦ: ମହାମାରୀ କରୋନା ଭାରତର ପିଛା ଛାଡ଼ୁନି। ଗୋଟିଏ ପଟେ ସଂକ୍ରମଣ ବଢ଼ୁଥିବା ବେଳେ ଏବେ ଦେଶରୁ ଠାବ ହୋଇଛି ଓମିକ୍ରନର ନୂଆ ଭାରିଏଣ୍ଟ XBB1.5। ଚଳିତ ମାସରେ ଗୁଜରାଟରେ କରୋନାରେ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ XBB1.5 ଭାରିଏଣ୍ଟ ଠାବ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। XBB1.5 ହେଉଛି ଓମିକ୍ରନର ଗୋଟିଏ ସବ ଭାରିଏଣ୍ଟ। ଏହି ଭାରିଏଣ୍ଟ ଯୋଗୁ ନ୍ୟୁୟର୍କରେ କରୋନା ସଂକ୍ରମଣ ବଢ଼ିଥିଲା ଓ ଅଧିକାଂଶ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। XBB ନିଜେ ହେଉଛି ଓମିକ୍ରନର ଦୁଇ ଭିନ୍ନ ବିଏ.୨ ସବ ଭାରିଏଣ୍ଟର ମିଳିତ ରୂପ। ଏହାର ଅର୍ଥ XBB ମ୍ୟୁଟେସନ ହୋଇ XBB1.5 ସବ ଭାରିଏଣ୍ଟରେ ପରିଣତ ହୋଇଛି। ଏହି XBB1.5 ଭାରିଏଣ୍ଟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି। ଗୁଜରାଟରୁ XBB1.5 ଭାରିଏଣ୍ଟ ଦ୍ୱାରା ସଂକ୍ରମିତ କରୋନା ରୋଗୀ ଠାବ ହୋଇଥିବା ବେଳେ ମହାରାଷ୍ଟ୍ରରେ ଅଧିକ ସତର୍କତା ପ୍ରକାଶ ପାଇଛି। କାରଣ ପୂର୍ବରୁ ମହାରାଷ୍ଟ୍ରରେ XBB ଭାରିଏଣ୍ଟରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ। ତେଣୁ ଏହାର ସବ ଭାରିଏଣ୍ଟ XBB1.5 ଯେମିତି ରାଜ୍ୟରେ କାୟା ବିସ୍ତାର ନ କରିପାରିବ, ସେନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

Leave A Reply

Your email address will not be published.