ରଙ୍ଗିନ ଲାଇଟ୍‌ରେ ହାଇଭୋଲ୍‌ଟେଜ୍‌ ଡ୍ୟାନ୍ସ, ୨ ବର୍ଷ‌ ପରେ ‘ଜିରୋ ଆୱାର ମସ୍ତି’

ଭୁବନେଶ୍ବର: ରଙ୍ଗିନ ଲାଇଟ୍‌ର ଝିଲ୍‌ମିଲ୍‌ ଖେଳ ଓ ଡିଜେର ଧୁନ୍‌ ଯୁବପିଢ଼ିଙ୍କୁ ମତୁଆଲା କରିବ। ନାଚ, ଗୀତ ସହ ଭୁରି ଭୋଜନରେ ୨୦୨୩କୁ ସ୍ବାଗତ କରାଯିବ। ୨ ବର୍ଷ ପରେ କରୋନାର ଭୟ ନଥିବ କି କଟକଣା, କେବଳ ଥିବ ଉତ୍ସାହ… ନୂଆବର୍ଷକୁ ସ୍ବାଗତ କରିବାର ଅଦ୍ଭୁତ ଉଦ୍ଦୀପନା। ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ନୃତ୍ୟର ତ‌ାଳେତାଳେ ଝୁମିବେ ଯୁବପିଢ଼ି। ୩୧ ତାରିଖ ରାତି ୧୨ ବାଜୁ ବାଜୁ ଆରମ୍ଭ ହୋଇଯିବ ହୋ ହାଲ୍ଲା…। ୨ ବର୍ଷ ପରେ ଏହି ହୋ ହାଲ୍ଲାକୁ ମନଭରି ଉପଭୋଗ କରିବାକୁ ଯୁବପିଢ଼ିଙ୍କ ମଧ୍ୟରେ ଏବେଠାରୁ ଯୋଜନା। ରାଜଧାନୀର ବହୁ ତାରକା ହୋଟେଲ ମଧ୍ୟ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ କିଏ ଆଗୁଆ ଟିକେଟ ବୁକ୍‌ କଲାଣି ତ’ କିଏ କ’ଣ ପିନ୍ଧିଯିବ ସେ ନେଇ ପୋଷାକ ପ୍ରସ୍ତୁତ କଲାଣି। ‌ଆଉ ଗୋଟିଏ ଦିନର ଅପେକ୍ଷା। ଏହାପରେ ଧୁମ୍‌ଧ‌ାମ୍‌ରେ ସ୍ବାଗତ ହେବ ନୂଆବର୍ଷ। ସେଲ୍‌ଫି କର୍ଣ୍ଣର, ଛୋଟ ଛୁଆଙ୍କ ପାଇଁ ମାଗଣା ଟାଟୁ, ସପ୍ରାଇଜ୍‌ ଗିଫ୍ଟ ସହ ସେଲିବ୍ରିଟି କଣ୍ଠଶିଳ୍ପୀଙ୍କ ସଙ୍ଗୀତର ତାଳେତାଳେ ନୃତ୍ୟ, ଅନ୍‌ଲିମିଟେଟ୍‌ ଷ୍ଟାଟର ଖାଇବାର ମଜା ପୁଣି ଗାଲା ବଫେ ଡିନର୍‌…। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ କଳ୍ପନା ଛକସ୍ଥିତ ହୋଟେଲ ପୁଷ୍ପକ କିଛି ଏହି ଭଳି ଆୟୋଜନ କରିଛି। ଉଦୀୟମାନ ତାରକା ଶଶାଙ୍କ ଶେଖର ଓ କଣ୍ଠଶିଳ୍ପୀ ଭାଗ୍ୟଶ୍ରୀଙ୍କ ଲାଇଭ୍‌ ପ୍ରଦର୍ଶନ ସହ ହାଇଭୋଲ୍‌ଟେଜ୍‌ ଡିଜେ ଓ ଫ୍ୟାସନ୍‌ ସୋ’ ଯୁବପିଢ଼ିଙ୍କୁ ଭିନ୍ନ ଅନୁଭୂତି ଦେବ। ପୁଣି ମକ୍‌ଟେଲ୍‌ ସହ ମଟନ, ଚିକେନ, ମାଛ ଓ ଚିଙ୍ଗୁଡ଼ି ଆଦିର ଏକ ଭବ୍ୟ ରାତ୍ରଭୋଜନ ଆଗନ୍ତୁକଙ୍କୁ ଆପ୍ୟାୟିତ କରିବ। ଏଥିପାଇଁ ହୋଟେଲ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ‘ଏମ୍‌ୱାଇ କାଉଣ୍ଟ୍‌ଡାଉନ୍‌ ୨୦୨୩’ ପାର୍ଟିକୁ କପଲ୍‌ ଏଣ୍ଟ୍ରି(ଦମ୍ପତିଙ୍କ ନିମନ୍ତେ ପ୍ରବେଶ ଶୁଳ୍କ) ୪୯୯୦ ଟଙ୍କା ରହିଥିବା ବେଳେ ସିଙ୍ଗଲ୍‌ ମେମ୍ବର ବା ଜଣିକିଆ ପ୍ରବେଶ ପାଇଁ ରହିଛି ୨୭୫୦ ଟଙ୍କା। ଆସନ୍ତାକାଲି (ଶନିବାର) ସଂଧ୍ୟା ସାଢ଼େ ୬ଟାରୁ ଆରମ୍ଭ ହୋଇଯିବ ଏହି ସେଲିବ୍ରେସନ୍‌।

Leave A Reply

Your email address will not be published.