ନୂଆଦିଲ୍ଲୀ : ଆର୍ଥିକ ସଂକଟ ଭିତରେ ଦିନକୁ ଦିନ ଡୁବି ଯାଉଛି ପାକିସ୍ତାନ । ସ୍ୱାସ୍ଥ୍ୟ ସେବା ଉପରେ ପଡ଼ିଛି ପ୍ରଭାବ । ହସ୍ପିଟାଲ ଗୁଡ଼ିକରେ ଜରୁରୀ ଔଷଧ ସରିଗଲାଣି। ବୈଦେଶିକ ମୁଦ୍ରା ସରିଯିବାରୁ ବାହାରୁ ଔଷଧ ମଗାଇ ପାରୁନି ପାକିସ୍ତାନ । କଞ୍ଚାମାଲା ଆସିପାରୁନଥିବାରୁ ଦେଶର ଔଷଧ ନିର୍ମାତା କମ୍ପାନୀମାନେ ବି ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ହସ୍ପିଟାଲରେ ଆଉ ଅତ୍ୟାବଶ୍ୟକ ଔଷଧ ନାହିଁ। ଡିସପ୍ରିନ ସରିଗଲାଣି। ଇନସୁଲିନ୍ ନାହିଁ । ବ୍ରୁଫେନ, କାଲପୋଲ, ଟେଗରାଲ, ନିମେସୁଲାଇଡ, ହେପାମେର୍ଜ, ବୁସକୋପାନ ଆଦି ଔଷଧର ଘୋର ସଂକଟ । ବଡ଼ ଅପରେସନ ପାଇଁ ଆବଶ୍ୟକ ଅନେସ୍ଥେସିଆ ନାହିଁ । ଡାକ୍ତରମାନେ ଅପରେସନ କମ କରିଦେଲେଣି । ଔଷଧ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ପାଇଁ ବାହାର ଦେଶ ଉପରେ ୯୫ ପ୍ରତିଶତ ନିର୍ଭର କରିଥାଏ ପାକିସ୍ତାନ । ବିଶେଷ କରି ଚୀନ ଓ ଭାରତରୁ ଯାଇଥାଏ ଅଧିକ କଞ୍ଚାମାଲ। ବୈଦେଶିକ ମୁଦ୍ରା ଅଭାବରୁ ଯାଇପାରୁନି କଞ୍ଚାମାଲ । ଏଥିରେ ସରକାର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି ପାକିସ୍ତାନ ମେଡିକାଲ ଆସୋସିଏନ। ଏଭି ଅବସ୍ଥା ଲାଗି ରହିଲେ ବଡ଼ ବିପର୍ଯ୍ୟୟର ସାମ୍ନା କରିବ ଚିକିତ୍ସା କ୍ଷେତ୍ର। ସେପଟେ ଋଣ ପାଇଁ IMFକୁ ସନ୍ତୁଷ୍ଟ କରିବାକୁ ଶେଷ ଉଦ୍ୟମ କରିଛି ପାକିସ୍ତାନ । ୧୯ ପ୍ରତିଶତ ସୁଧରେ ଋଣ ଆଣିବାକୁ ରାଜି ହୋଇଛି। ଏହା ପାକିସ୍ତାନର ପୂର୍ବ ରେକର୍ଡ ଠାରୁ ସାମାନ୍ୟ କମ। ୧୯୯୬ରେ ୧୯.୫ ପ୍ରତିଶତ ସୁଧରେ ଋଣ କରିଥିଲା ପାକିସ୍ତାନ । ତେବେ ବର୍ତ୍ତମାନ ୧୭ ପ୍ରତିଶତ ସୁଧ ଦେଉଛି। ୧୯ ପ୍ରତିଶତ ସୁଧରେ ୧.୧ ବିଲିଅନ ଡଲାର ଋଣ ପାଇଁ IMF ସହ ଆଲୋଚନା କରୁଛି ପାକିସ୍ତାନ। ଆର୍ଥିକ ସଂକଟର ଅକ୍ଟୋପସ ଭିତରେ ଛନ୍ଦି ହୋଇ ଯାଇଛି ଭାରତର ଏହି ପଡ଼ୋଶୀ ରାଷ୍ଟ୍ର।