ଗୁରୁଦ୍ୱାରରେ ପଶି ବାହାଘର ଭୋଜି ଖାଇଲା ଅମ୍ରିତପାଲ ସିଂ; ପୁଣି ପୋଷାକ ବଦଳାଇ ବାଇକ୍‌ରେ ଏମିତି ହେଲା ଫେରାର୍‌

ପଞ୍ଜାବ: ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମ୍ରିତପାଲ୍‌ ସିଂ ଏ ପର୍ଯ୍ୟନ୍ତ ପୋଲିସ ହାତରେ ଧରାପଡ଼ି ନାହାନ୍ତି। ଅନେକ ରାଜ୍ୟର ପୋଲିସ ଏବଂ ସୁରକ୍ଷା ଏଜେନ୍ସି ତାଙ୍କୁ ଖୋଜାଖୋଜି କରିବାରେ ଲାଗି ପଡ଼ିଛନ୍ତି। କିନ୍ତୁ ଏ ଯାଏ ତାଙ୍କର ପତ୍ତା ମିଳିପାରି ନାହିଁ। ଏହାରି ଭିତରେ ପଳାତକ ଅମ୍ରିତପାଲ୍‌ ବନ୍ଧୁକ ମୁନରେ ଖାଦ୍ୟ ଓ ପୋଷାକ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ସେ ଏବଂ ତାଙ୍କ ସହଯୋଗୀ ଗୁରୁଦ୍ୱାରରେ ପଶି ବନ୍ଧୁକ ମୁନରେ ଖାଦ୍ୟ ଓ ପୋଷାକ ଛଡ଼ାଇ ନେଇଥିଲେ। ଅମ୍ରିତପାଲ୍‌ ପଗଡି ଓ ପୋଷାକ ବ୍ୟତୀତ ଗ୍ରନ୍ଥି (ଶିଖ୍‌ ଉପଦେଶକ)ଙ୍କର ଏକ ଜ୍ୟାକେଟ୍ ମଧ୍ୟ ଛଡ଼ାଇ ନେଇଛନ୍ତି। ଅମ୍ରିତପାଲ ସିଂଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ ଚଳାଇଛି। ସେ ଯାହାଙ୍କ ବାଇକ୍ ବ୍ୟବହାର କରିଥିଲେ, ପୋଲିସ ତାଙ୍କୁ ଗିରଫ କରିଛି। ଏଥିସହ ଗ୍ରନ୍ଥିଙ୍କ କଲ୍ ବିବରଣୀ ମଧ୍ୟ ଯାଞ୍ଚ କରୁଛି। କାରଣ, ତାଙ୍କ ଫୋନରୁ ଅମ୍ରିତପାଲ ତାଙ୍କ ସହଯୋଗୀଙ୍କୁ କଲ୍‌ କରିଥିଲେ। ଜଳନ୍ଧରଠାରୁ ୫୯ କିଲୋମିଟର ଦୂର ଗୁରୁଦ୍ୱାରରୁ ବାହାରିବା ବେଳେ ଅମ୍ରିତପାଲ କଳା ଚଷମା ଓ ଗୋଲାପୀ ରଙ୍ଗର ପଗଡି ପିନ୍ଧିଥିଲେ। ଏହି ଘଟଣା ମାର୍ଚ୍ଚ ୧୮ର। ଏକ ମାରୁତି ବ୍ରେଜା କାରରେ ଅମ୍ରିତପାଲ୍‌ ଗୁରୁଦ୍ୱାରରେ ପହଞ୍ଚିଥିଲେ। ଗ୍ରନ୍ଥି ପୋଲିସକୁ କହିଛନ୍ତି କି, ଅମ୍ରିତପାଲ ଏବଂ ତାଙ୍କ ସହଯୋଗୀ ପ୍ରାୟ ଏକ ଘଣ୍ଟା ଗୁରୁଦ୍ୱାର ପରିସରରେ ରହିଥିଲେ। ଏଠାରେ ଅମ୍ରିତପାଲ କମିଜ୍‌ ଓ ପ୍ୟାଣ୍ଟ ପିନ୍ଧି ଗ୍ରନ୍ଥିଙ୍କ ପୁଅର ଗୋଲାପୀ ପଗଡି ନେଇ ଯାଇଥିଲେ। ସେ ଏବଂ ତାଙ୍କ ସହଯୋଗୀ ଗୁରୁଦ୍ୱାରଠାରୁ ୧୦୦ ମିଟର ଦୂରରେ କାର୍‌ ପାର୍କିଂ କରିଥିଲେ, ଯେଉଁଠାରୁ ପୋଲିସ ଏକ ରାଇଫଲ ଏବଂ କିଛି ଖଣ୍ଡା ଜବତ କରିଛି। ସ୍ଥାନୀୟ ଲୋକଙ୍କ କହିବା ହେଲା, ଯେତେବେଳେ ଅମ୍ରିତପାଲ ଗୁରୁଦ୍ୱାରରେ ପହଞ୍ଚିଥିଲେ, ତ ସେଠି ଗ୍ରନ୍ଥିଙ୍କ ପୁଅର ବିବାହ ଚାଲିଥିଲା। ସେହି ସମୟରେ ଅନେକ ଅତିଥି ଉପସ୍ଥିତ ଥିଲେ। ତେବେ ଏହି ଘଟଣାରେ ପୋଲିସ ଅମ୍ରିତପାଲ ଏବଂ ତାଙ୍କର ଚାରି ସହଯୋଗୀଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଛି।

Leave A Reply

Your email address will not be published.