ତୀର୍ଥଯାତ୍ରୀ ବସ୍‌ ଜଳି ୨୦ ମୃତ

ସାଉଦିଆରବ: ସାଉଦି ଆରବରେ ଜଳିଗଲା ହଜଯାତ୍ରୀ ବସ୍‌ । ପୋଲରେ ବାଡେଇ ହୋଇ ଓଲଟି ପଡିଲା ତୀର୍ଥ ଯାତ୍ରୀଙ୍କ ବସ୍। ଆଉ ବସରେ ଲାଗିଗଲା ନଆଁରେ ଜୀବନ୍ତ ଜଳିଗଲେ ୨୦ ତୀର୍ଥଯାତ୍ରୀ। ପବିତ୍ର ସ୍ଥାନ ମକ୍କା ଏବଂ ମଦିନାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ସୂଚନା ମୁତାବକ, ଆଜି ସକାଳୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଅତି କମରେ ୨୯ ଜଣ ଆହତ ହୋଇଛନ୍ତି। ୟେମେନ ସୀମାରେ ଥିବା ଦକ୍ଷିଣ-ପଶ୍ଚିମ ଦିଗରେ ଆସିର ପ୍ରଦେଶ ଦେଇ ତୀର୍ଥଯାତ୍ରୀ ବସଟି ଯାଉଥିବା ବେଳେ ବ୍ରେକ୍ ଫେଲ୍ ହେବା ଯୋଗୁ କାର ସହିତ ଧକ୍କା ହୋଇଥିଲା । ପରେ ବସ୍ଟି ପ୍ରଥମେ ଏକ ପୋଲରେ ବାଡେଇ ହୋଇ ରାସ୍ତା କଡକୁ ଓଲଟି ପଡିଥିଲା। ଏହାପରେ ବସରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଯୋଗୁଁ ଯାତ୍ରୀଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା। ଫଳରେ ୨୦ ଯାତ୍ରୀ ଜୀବନ୍ତ ଜଳି ଯାଇଥିବା ଜଣାଯାଇଛି। ଘଟଣାରେ ଆହତ ହୋଇଥିବା ୨୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ଦମକଳବାହିନୀ ମଧ୍ୟ ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ। ପୋଲିସ ମୁତାବକ, ବସରେ ଥିବା ସମସ୍ତ ଯାତ୍ରୀ ଉମ୍ରା କରିବାକୁ ଯାଉଥିଲେ। ସ୍ଥାନୀୟ ଲୋକଙ୍କ ସହ ବସରେ ବହୁ ବିଦେଶୀ ଯାତ୍ରୀ ମଧ୍ୟ ଥିଲେ। ତେବେ ବସ୍ ଭିତରେ କେଉଁ କେଉଁ ଦେଶର ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ। ସାଉଦି ଆରବର ପବିତ୍ର ସ୍ଥାନର ଆଖପାଖରେ ତୀର୍ଥଯାତ୍ରୀମାନଙ୍କୁ ନେଇ ଯିବା ବିପଦପୂର୍ଣ୍ଣ କାମ । ବିଶେଷ ଭାବେ ହଜ୍‌ ଯାତ୍ରା ବହୁତ ବିପଦପୂର୍ଣ୍ଣ ରହିଥାଏ । ୨୦୧୯ରେ ମଦିନରେ ଅକ୍ଟୋବରରେ ଏକ ବସ୍‌ ଅନ୍ୟ ଏକ ଗାଡି ସହିତ ଧକ୍କା ହୋଇଥିଲା। ଫଳରେ ୩୫ରୁ ଅଧିକ ବିଦେଶୀ ଯାତ୍ରୀ ମରିଥିଲେ ଏବଂ ଅନେକ ଆହତ ହୋଇଥିଲେ ।

Leave A Reply

Your email address will not be published.