ମନୀଷ ସିସୋଦିଆଙ୍କ ଗଳା ଧରି କୋର୍ଟରେ ହାଜର ପାଇଁ ନେଲା ପୋଲିସ! କ’ଣ ଉପରୁ ଆଦେଶ ଅଛି ବୋଲି ପ୍ରଶ୍ନ କଲେ କେଜ୍ରିୱାଲ

ଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଆଜି ପୋଲିସ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଇଥିଲା। ଏହି ସମୟରେ ପୋଲିସ ମନୀଷ ସିସୋଦିଆଙ୍କୁ ସୁରକ୍ଷା କର୍ଡନରେ ନେଇଯାଉଥିବା ଦେଖାଯାଇଥିଲା। ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କୁ ପୋଲିସ ନେଉଥିବାର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି, ଯେଉଁଥିରେ ସେ ଦୁର୍ବ୍ୟବହାରର ଅଭିଯୋଗ ଆଣିଛନ୍ତି। ସିଏମ କେଜ୍ରିୱାଲ ଭିଡିଓ ସେୟାର କରି ଲେଖିଛନ୍ତି, ‘କ’ଣ ପୋଲିସକୁ ମନୀଷ ସିସୋଦିଆଙ୍କ ସହ ଏପରି ଦୁର୍ବ୍ୟବହାର କରିବାର ଅଧିକାର ଅଛି କି? କ’ଣ ପୋଲିସକୁ ଏମିତି କରିବା ପାଇଁ ଉପରୁ କୁହାଯାଇଛି କି’? କହି ରଖୁଛୁ, ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କ ସମସ୍ୟା ଆହୁରି ବଢ଼ିଯାଇଛି। ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ଜୁନ୍ ୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପ୍ରକୃତରେ, ଏହି କ୍ଲିପକୁ ସିଏମ କେଜ୍ରିୱାଲ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ଆତିଶୀଙ୍କ ଆକାଉଣ୍ଟରୁ ରିଟ୍ଵିଟ୍‌ କରିଛନ୍ତି। ଆତିଶୀ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ରାଉସ୍ ଆଭେନ୍ୟୁ କୋର୍ଟରେ ପୋଲିସ କର୍ମୀଙ୍କ ଦ୍ୱାରା ମନୀଷ ସିସୋଦିଆଙ୍କ ସହ ଆଶ୍ଚର୍ଯ୍ୟଜନକ ଦୁର୍ବ୍ୟବହାର। ଦିଲ୍ଲୀ ପୋଲିସ ତାଙ୍କୁ ତୁରନ୍ତ ନିଲମ୍ବନ କରିବା ଉଚିତ୍’। ସେପଟେ କେଜ୍ରିୱାଲ ଏବଂ ଏଏପି ନେତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଉତ୍ତର ରଖିଛି। ଦୁର୍ବ୍ୟବହାର ଅଭିଯୋଗକୁ ଦିଲ୍ଲୀ ପୋଲିସ ଅପପ୍ରଚାର ବୋଲି କହିଛି।

Leave A Reply

Your email address will not be published.