ଦାଦନ ଯନ୍ତ୍ରଣା: ୨ ହାତ ହରାଇ ଫେରିଲେ ଯୁବକ

ବାଲିଗୁଡ଼ା : ରୋଜଗାର ପାଇଁ ଘରେ କାହାକୁ ନକହି ଦାଦନ ଖଟିବାକୁ ଯାଇଥିଲେ ଅଙ୍ଗଦ। ଗଲାବେଳେ ୮ ହଜାର ଅଗ୍ରିମ ମିଳିଥିବା ବେଳେ ସେଠାକୁ ଗଲାପରେ ଆହୁରି ଅଧିକ ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଇଥିଲା ଦଲାଲ୍‌। ପରିବାର ଲୋକଙ୍କୁ କିଛି ନକହି ଦଲାଲ କଥାରେ ପଡ଼ି ଚାଲିଯାଇଥିଲେ ଗୁଜରାଟ। ହେଲେ ଏବେ ଦୁଇ ହାତ କଟା ଅବସ୍ଥାରେ ଘରକୁ ଫେରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସିର ୨ ନମ୍ବର ୱାର୍ଡ଼ ଡହଲପଡ଼ି ସାହିର ଅଙ୍ଗଦ ମଳିକ (୨୨)ଙ୍କ କ୍ଷେତ୍ରରେ। ଅଙ୍ଗଦ କାହାକୁ ନକହି ପଳାଇବା ପରେ ଘରଲୋକେ ଖୋଜାଖୋଜି କରିଥିଲେ। ହେଲେ କିଛି ସନ୍ଧାନ ନପାଇ ଦୁଇଦିନ ପରେ ବାଲିଗୁଡ଼ା ଥାନାରେ ଅଙ୍ଗଦ ଗ୍ରାମର ରବି ସାହାଣୀ ସହିତ କୁଆଡ଼େ ପଳାଇଥିବା ନେଇ ନିଖୋଜ ଏତଲା ଦେଇଥିଲେ। ପୁଲିସ ଏହି ମାମଲାରେ ଖୋଜାଖୋଜି ଚଳାଇଥିବା ବେଳେ ଗତ ଜୁନ ୨୨ ତାରିଖରେ ଗୁଜରାଟ କଚ୍ଛ ଜିଲ୍ଲା ଭୁଜ୍‌ ତା‌ଲୁକା ପାଲାରାର ସ୍ବେଚ୍ଛାସେବୀ ଋତୁବେନ୍‌ ବର୍ମା ଦୁର୍ଘଟଣାର ଶିକାର ହୋଇ ଅଙ୍ଗଦ ଚିକିତ୍ସିତ ହେଉଥିବା ସେ ବାଲିଗୁଡ଼ା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଠାରୁ ସୂଚନା ପାଇ ଅଙ୍ଗଦଙ୍କ ଭାଇ ରତ୍ନାକର ମଳିକ ଓ ଭିଣୋଇ ରଂଜିତ ମଳିକ ସେଠାକୁ ଯାଇ ତାଙ୍କୁ ଘରକୁ ଆଣିଥିବା ଜଣାପଡ଼ିଛି।ଅଙ୍ଗଦଙ୍କ କହିବା ପ୍ରକାରେ, ସେ ଟ୍ରେନ୍‌ରୁ ଓଲ୍ଲାଇବା ପରେ ତାହା କେଉଁ ଜାଗା ଜାଣିନଥିଲେ। ତାଙ୍କୁ ସାଙ୍ଗରେ ନେଇଥିବା ରବି ପାଖରୁ ଆସୁଛି କହି ପଳାଇ ଯାଇଥିବା ବେଳେ ଆଉ ଫେରି ନଥିଲେ। ଏତିକି ବେଳେ କିଛି ଯୁବକ ଆସି ତାଙ୍କୁ ମାଡ଼ ମାରି ଅଚେତ କରି ଦେଇଥିଲେ ଓ ସେ ଚେତା ଫେରିବା ବେଳକୁ ସେବାଶ୍ରମ ଶଯ୍ୟାରେ ଚିକିତ୍ସିତ ହେଉଥିବା ଓ ତାଙ୍କ ଦୁଇହାତ ନଥିବା ଜାଣିବାକୁ ପାଇଥିଲେ। ସେବାଶ୍ରମର କର୍ମଚାରୀଙ୍କୁ ଘର ଠିକଣା କହିବା ପରେ ପରିବାର ଲୋକେ ପହଞ୍ଚି ଫେରାଇ ଆଣିଥିବା ସେ କହିଛନ୍ତି। ଏ ବାବଦରେ ଅଧିକ ତଦନ୍ତ କରାଯାଉଛି ବୋଲି ବାଲିଗୁଡ଼ା ଥାନାଧିକାରୀ ବାବାଶଙ୍କର ସରାଫ କହିଛନ୍ତି।

Leave A Reply

Your email address will not be published.