ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ପ୍ରବୀଣଙ୍କ ସହ ଅଳ୍ପକେ ବର୍ତ୍ତିଗଲେ ପୁଅ ।

ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମଙ୍ଗଳବାର ଘରକୁ ଫେରୁଥିବା ବେଳେ ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ପ୍ରବୀଣଙ୍କ କାରକୁ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କା ଦେଇଥିଲା । ସେତେବେଳେ ପ୍ରବୀଣଙ୍କ ସହ କାରରେ ତାଙ୍କ ପୁଅ ମଧ୍ୟ ଥିଲେ । କିନ୍ତୁ ସୌଭାଗ୍ୟବଶତଃ ଉଭୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଚାଳକଙ୍କୁ ଅଟକ ରଖିବା ସହ ଘଟଣାର ଯାଞ୍ଚ ଆରମ୍ଭ କରିଛି ।ପ୍ରବୀଣ କୁମାର ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ମେରଠରୁ ପାଣ୍ଡବନଗର ଆଡକୁ ଆସୁଥିଲେ । କମିଶନର ବାସଭବନ ପାଖରେ ତାଙ୍କ ଗାଡି ସହ କ୍ୟାଣ୍ଟର ଗାଡି ଧକ୍କା ହୋଇଥିଲା । ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଚୁରମାର ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ପ୍ରବୀଣ ଓ ତାଙ୍କ ପୁଅ । ପୋଲିସର କହିବା ଅନୁଯାୟୀ ଉଭୟ ପ୍ରବୀଣ ତାଙ୍କ ପୁଅ ଏବେ ସୁରକ୍ଷିତ ଅଛନ୍ତି ।କିଛି ବର୍ଷ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରମୁଖ ଦ୍ରୁତ ବୋଲର ତାଲିକାରେ ରହିଥିଲେ ପ୍ରବୀଣ କୁମାର । ଖାସକରି ଦିନିକିଆରେ ପ୍ରବୀଣଙ୍କର ଦମଦାର ପ୍ରଦର୍ଶନ ରହି ଆସିଛି । ପ୍ରବୀଣ କୁମାର ଭାରତ ପାଇଁ ୬୮ଟି ଦିନିକିଆ, ୧୦ଟି ଟି-୨୦ ଓ ୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେହିଭଳି ୧୧୯ଟି ଆଇପିଏଲ ମ୍ୟାଚ୍ ଖେଳି ୯୦ଟି ୱିକେଟ ନିଜ ନାଁରେ କରିଛନ୍ତି ପ୍ରବୀଣ । ୨୦୦୮ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ହରାଇ ସିବି ସିରିଜ ଜିତିଥିଲା । ଆଉ ଏହି ବିଜୟରେ ପ୍ରବୀଣଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

Leave A Reply

Your email address will not be published.