ସମୁଦ୍ର ମଝିରେ କାର୍ଗୋ ଜାହାଜରେ ଲାଗିଲା ଭୀଷଣ ନିଆଁ

ନେଦରଲ୍ୟାଣ୍ଡ: ନେଦରଲ୍ୟାଣ୍ଡରେ ବୁଧବାର ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ୩୦୦୦ କାର୍ ନେଇ ଯାଉଥିବା ଏକ କାର୍ଗୋ ଜାହାଜରେ ହଠାତ୍‌ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଜଣ ଏଥିରେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ନେଦରଲ୍ୟାଣ୍ଡ ଉପକୂଳ ନିକଟରେ ଘଟିଛି। ତଟରକ୍ଷୀ କହିଛନ୍ତି ଯେ ମଙ୍ଗଳବାର ରାତିରେ ‘ଫ୍ରିମାଣ୍ଟଲ ହାଇୱେ’ ନାମକ ଜାହାଜରେ ନିଆଁ ଲାଗିଯାଇଥିଲା। ଜାହାଜଟି ଜର୍ମାନରୁ ଇଜିପ୍ଟ ଯାଉଥିଲା। ନିଆଁ ଲାଗିବାର ତୁରନ୍ତ ପରେ ଚାଳକ ଦଳର ଅନେକ ସଦସ୍ୟ ପାଣିକୁ ଡେଇଁପଡିଥିଲେ। ନେଦରଲ୍ୟାଣ୍ଡ କୋଷ୍ଟଗାର୍ଡଙ୍କ ମୁତାବକ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜାହାଜରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ନେଦରଲ୍ୟାଣ୍ଡ ଜଳପଥ ଏବଂ ଲୋକ ନିର୍ମାଣ ବିଭାଗର ମୁଖପାତ୍ର ଏଡୱିନ୍ ଭର୍ଷ୍ଟିଗ୍ କହିଛନ୍ତି, ଏ ପର୍ଯ୍ୟନ୍ତ ନିଆଁକୁ କାବୁ କରାଯାଇ ପାରିନାହିଁ। ଏହାକୁ ଲିଭାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଜାହାଜରେ ବହୁ ସଂଖ୍ୟକ ଯାନ ଥିବାରୁ ନିଆଁ ବଢ଼ିବାରେ ଲାଗିଛି।ନୌସେନା ସୂଚନା ମୁତାବକ, ପ୍ରଥମେ ଏକ ଇଲେକ୍ଟ୍ରିକ୍ କାର୍‌ ନିକଟରେ ନିଆଁ ଲାଗିଥିଲା। ଏହାପରେ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ଜାହାଜଟି ଗୋଟିଏ ପାର୍ଶ୍ୱକୁ ଝୁଙ୍କି ରହିଛି। ଫଳରେ ଏହା ବୁଡ଼ିଯିବାର ଆଶଙ୍କା ଆହୁରି ବଢ଼ିଯାଇଛି। ଜାହାଜରେ ଅଗ୍ନିକାଣ୍ଡ ପରେ ହେଲିକପ୍ଟର ସାହାଯ୍ୟରେ ଚାଳକ ଦଳର ୨୩ ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି।

Leave A Reply

Your email address will not be published.