ହରିୟାଣା : ପଢିବା ଭିସାରେ କାନାଡା ଯାଇଥିବା ହରିୟାଣା ଛାତ୍ର ଏବେ ନିଖୋଜ । ଫୋନ ବନ୍ଦ ଥିବାରୁ ଘର ଲୋକ କୌଣସି ସଂପର୍କ କରିପାରୁନାହାନ୍ତି । ଏହାପରେ ପରିବାର ଲୋକ ପୁଅକୁ ସୁରକ୍ଷିତ ଏବଂ ଶୀଘ୍ର ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ହରିୟାଣାର ଚରଖୀ ଦାଦରୀର ଡୋହକା ହରିୟା ଗାଁରେ ରହୁଥିଲା ସାହିଲ ଗୋଟେ ମାସ ପୂର୍ବରୁ ୱେବ ଡିଜାଇନ କୋର୍ସ କରିବାକୁ କାନାଡା ଯାଇଥିଲା । କିନ୍ତୁ ୧୭ ମଇରୁ ପରିବାର ଲୋକ ସାହିଲ ସହିତ କୌଣସି ଯୋଗାଯୋଗ କରିପାରୁନାହାନ୍ତି । ଏନେଇ ସାହିଲଙ୍କ ସାଙ୍ଗମାନେ ପୋଲିସରେ ଅଭିଯୋଗ ଦାୟର କରିଥିଲେ । ସାହିଲଙ୍କ ବାପା ମା ପୁଅକୁ ଫେରାଇ ଆଣିବା ପାଇଁ କାନାଡା ପୋଲିସ ସହିତ କେନ୍ଦ୍ର ସରକାରଙ୍କୁ ମଧ୍ୟ ଗୁହାରି କରିଛନ୍ତି । ଏପ୍ରିଲ ୨୩ ତାରିଖରେ ପୂର୍ବତନ ସେନା କର୍ମଚାରୀ ହରିଶ କୁମାର ପୁଅ ସାହିଲଙ୍କୁ ପଢାଇବା ପାଇଁ ୩୫ ଲକ୍ଷ ଖର୍ଚ୍ଚ କରି କାନାଡା ପଠାଇଥିଲେ । ସାହିଲ କାନାଡାର ହମ୍ବର ୟୁନିଭରସିଟିରେ ୱେବ ଡିଜାଇନ କୋସ କରିବା ପାଇଁ ପଇସା ଦାଖଲ କରିଥିଲେ । ୧୭ ମଇରେ ସେ ଭଡ଼ାରେ ରହୁଥିବା ରୁମରୁ ୟୁନିଭରସିଟି ଯାଇଥିଲେ, କିନ୍ତୁ ସେଠାରୁ ଆଉ ଫେରିନଥିଲେ ବୋଲି ପରିବାର ଲୋକ ଅଭିଯୋଗରେ କହିଛନ୍ତି । ହରିଶ କୁମାରଙ୍କୁ ରିଟାୟରମେଣ୍ଟରୁ ମିଳିଥିବା ପଇସାକୁ ପୁଅକୁ ପାଠ ପଢିବା ପାଇଁ ଦେଇଥିଲେ । ପୁଅ କାନାଡା ପଢିବାକୁ ଯାଇ ନିଖୋଜ ଥିବାରୁ ବାପା ଏବେ ଚିନ୍ତାରେ ରହିଛନ୍ତି । ଏନେଇ ସାହିଲଙ୍କ ପରିବାର ପୁଅକୁ ଖୋଜିବା ପାଇଁ କାନାଡା ପୋଲିସକୁ ଇମେଲ ଜରିଆରେ ଚିଠି ପଠାଇଛନ୍ତି । ଏହାସହିତ ପରିବାର ଲୋକ ଭାରତ ସ୍ଥିତ ଦୂତାବାସ ସହିତ ସଂପର୍କ କରି ଗୁହାରି କରିଛନ୍ତି ।
