ବରପାଲି : ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠୁଛି ସମଗ୍ର ଅଞ୍ଚଳ । ଧୂପ, ଦୀପର ବାସ୍ନାରେ ମହକୁଛି ପୁରା ପରିବେଶ । ଘର ଆଗରେ ରୁଣ୍ଡ ହୋଇଛନ୍ତି ଲୋକେ । ଏ ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଏଠି କଣ ହୋଇଛି ବୋଲି ପଚରା ପଚରି ଚାଲିଥାଏ । ତା’ପରେ ଜଣା ପଡ଼ିଥିଲା ଘଟଣା କଣ ?
କଙ୍କ୍ରିଟ୍ ଘର କୋଣରୁ ହଠାତ ଝରିଲା କ୍ଷୀର। ଆଉ କ୍ଷୀର ଝରିବା ସ୍ଥାନରେ ଦେଖିଲା ବେଳକୁ ମାଟି ତଳୁ ଆର୍ବିଭାବ ହୋଇଛନ୍ତି ଦେବ ଦେବ ମହାଦେବ। ମହାଦେବଙ୍କ ଦର୍ଶନ ପାଇଁ କାହିଁ କେତେ ଆଡ଼ୁ ଧାଇଁ ଆସିଛନ୍ତି ଲୋକେ । ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।


କଥାରେ ଅଛି ବିଶ୍ଵାସେ ମିଳଇ ହରି । ସତରେ ଏମିତି ବିଶ୍ଵାସ ଟିକିଏ ଅଛି ବୋଲି ତ ବଲାଙ୍ଗିର ସହରରେ ଭକ୍ତଙ୍କ ଭିଡ ଜମିଛି । ସହରର ବରପାଲି ପଡାରେ ଆବିର୍ଭାବ ହୋଇଛନ୍ତି ଦେବ ଦେବ ମହାଦେବ । ଶୀତଳ ଷଷ୍ଠୀ ଅବସରରେ ମାଟି ତଳୁ ବାହାରିଛନ୍ତି ଶିବ ଲିଙ୍ଗ । ପୁଣି ଏହି ଲିଙ୍ଗ ଏବେ ଦିନକୁ ଦିନ ବଢୁଥିବା କୁହାଯାଉଛି । ଖବରଟି ଗାଁରେ ପ୍ରଘଟ ହେବା ପରେ ଆଖ ପାଖ ଅଞ୍ଚଳରୁ ଭକ୍ତମାନେ ଧାଇଁ ଆସୁଛନ୍ତି । ଏବେ ବାବାଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଜମିଛି ।
ଘର ମାଲିକ ଅଶୋକ ବେହେରାଙ୍କ କହିବା କଥା କି ଗତ ୨୫ ତାରିଖ ଦିନ ସେମାନେ ଘର ଭିତରେ ଏକ ସାପ ଦେଖିଲେ । ସାପଟି ଅଚାନକ କେଉଁଆଡ଼େ ଚାଲିଗଲା । ତାପରେ ଘର କୋଣରୁ କ୍ଷୀର ଭଳି କିଛି ବାହାରିଲା ଏବଂ ଶିବ ଲିଙ୍ଗ ଉଭା ହେଲେ । ଶିବଲିଙ୍ଗର ଉଚ୍ଚତା ଦିନକୁ ଦିନ ବଢୁଥିବା କହିଛନ୍ତି ଭକ୍ତ । ସେଠାରେ ପୂଜାର୍ଚ୍ଚନା ଚାଲିଛି । ଏବେ ଶୀତଳ ଷଷ୍ଠୀ ସମୟରେ ଠାକୁରଙ୍କ ଏଭଳି ଆବିର୍ଭାବ ଭକ୍ତଙ୍କୁ ଭାବବିହ୍ୱଳ କରିଦେଇଛି । ଆଉ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରି ମନସ୍କାମନା ଜଣାଉଛନ୍ତି ।
